ଅଧାରେ ଥିଲା, ପୁଣି କାମ ଆରମ୍ଭ

କଟକ ଅଫିସ,୨୪ା୬: ଦୀର୍ଘଦିନ ଧରି ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଛାତ୍ରୀ ନିବାସ ପରିସର ସଫା କରାଯାଇଛି। ବୁଧବାରଠାରୁ ବିଲ୍ଡିଂ ନିର୍ମାଣ କାମ ଆରମ୍ଭ କରାଯିବ। ମାତ୍ର ଛାତ୍ରୀ ନିବାସ ପାଚେରି ପାଇଁ କୌଣସି ଅନୁଦାନ ଆସିନାହିଁ। ୨୦୦୯ରେ ୟୁନିର୍ଭସିଟି ଗ୍ରାଣ୍ଟ କମିଶନ (ୟୁଜିସି) ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ପାଇଁ ୮୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲା। ୨୦୧୦ରେ ପ୍ରଥମ କିସ୍ତିରେ ମହାବିଦ୍ୟାଳୟକୁ ୪୦ ଲକ୍ଷ ଟଙ୍କା ଆସିଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ବାକି ୪୦ ଲକ୍ଷ ଟଙ୍କା ଫେରିଯାଇଥିଲା। ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ବିଭାଗ ନିକଟରେ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ ଦାବି ଜଣାଇଥିଲେ। ଉଚ୍ଚଶିକ୍ଷା ବିଭାଗ ଛାତ୍ରୀ ନିବାସ ପାଇଁ ୨୦୧୫ରେ ୧କୋଟି ୪୨ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ଏଥିସହ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ୫ବର୍ଷ ପୂରିସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି। କେବଳ ବିଲ୍ଡିଂର ଭିତ୍ତିପ୍ରସ୍ତର ଦିଆଯାଇଛି। ବାକି କାର୍ଯ୍ୟ କେବେ ସରିବ, ତାହା ପ୍ରଶ୍ନବାଚୀ ହୋଇ ରହିଛି। ତେବେ ମଧୁସୂଦନ ଆଇନ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ କର୍ତ୍ତୃପକ୍ଷ ତତ୍ପର ହୋଇପଡ଼ିଛନ୍ତି। ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ କରାଯାଇଛି। ଛାତ୍ରୀ ନିବାସ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ପାଚେରି ପାଇଁ ଅର୍ଥ ଆସିନାହିଁ। ଜାନୁୟାରୀ ସୁଦ୍ଧା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପାଚେରି ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସୁକାନ୍ତ ନନ୍ଦ କହିଛନ୍ତି।

Share