Categories: ଜାତୀୟ

ଦିଲ୍ଲୀରେ ନିଆଁ: ୨୬ ମୃତ

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଦିଲ୍ଲୀର ମୁଣ୍ଡ୍‌କା ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ୩ ମହଲା ବିଲ୍ଡିଂରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୬ ଜଣଙ୍କ ମୃତ୍ୟୁ ଘଟିଛି। ନିଆଁରେ ପୋଡ଼ି ହୋଇ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟ ୬୦-୭୦ ଜଣଙ୍କୁ ବିଲ୍ଡିଂରୁ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଉକ୍ତ ବିଲ୍ଡିଂରେ କେତେକ କମ୍ପାନୀର ଅଫିସ ରହିଥିଲା ବୋଲି ଡିସିପି ସମୀର ଶର୍ମା କହିଛନ୍ତି। ପ୍ରଥମ ମହଲାରେ ନିଆଁ ଲାଗି ତାହା ଅନ୍ୟ ମହଲାକୁ ବ୍ୟାପିଯାଇଥିଲା। ତୃତୀୟ ମହଲାରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଖବର ଲେଖାହେଲା ବେଳକୁ ଜଣାପଡ଼ି ନ ଥିଲା।

Share