ଜବରଦଖଲ କରି ରହୁଥିବା ୨୬ ବ୍ୟକ୍ତିଙ୍କୁ ମିଳିଲା ପଟ୍ଟା

ମାଲକାନଗିରି,୧୯ ।୬ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ୫୦୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘ ବର୍ଷ ଧରି ଗ୍ରାମକଣ୍ଠ ପରମବୋକ କିସମ ଜମିରେ ଘର କରି ବସବାସ କରି ଆସୁଥିଲେ। ସେମାନଙ୍କୁ ସ୍ଥାୟୀ ପଟ୍ଟା ଦେବାକୁ ବିଭିନ୍ନ ସମୟରେ ଜିଲାପାଳ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜସ୍ବ ସଚିବଙ୍କୁ ଭେଟି ଜଣାଇଥିଲେ। ଏଥିରୁ କିଛି ସୁଫଳ ମିଳି ନ ଥିଲା। ଶେଷରେ ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମି ତତ୍କାଳୀନ ରାଜସ୍ବ ସଚିବ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ସେହି ଜମିର ପଟ୍ଟା ପାଇବା ପାଇଁ ହିତାଧିକାରୀମାନେ ହକ୍‌ଦାର ବୋଲି ଦାବି କରି ଯୁକ୍ତି ଉପସ୍ଥାପନ କରିଥିଲେ। ଏଥିରେ ତାଙ୍କୁ କଟକ ହାଇକୋର୍ଟର ଓକିଲ ସୁରେନ୍ଦ୍ର ମିଶ୍ର ଆଇନଗତ ସହାୟତା ଯୋଗାଇ ଦେଇଥିଲେ। ପରେ ରାଜ୍ୟ ସରକାର ସମ୍ପୃକ୍ତ ହିତାଧିକାରୀଙ୍କୁ ପଟ୍ଟା ଦେବାକୁ ମାଲକାନଗିରି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଏହି ଗ୍ରାମକଣ୍ଠ ପରମବୋକ କିସମ ଜମିରେ ଥିବା ବ୍ୟକ୍ତିବିଶେଷଙ୍କ ଜମି ଚିହ୍ନଟକରି ୧୩.୮୩୨ ହେକ୍ଟର ଜମିକୁ ୫୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଜବରଦଖଲ କରି ଦୀର୍ଘ ବର୍ଷ ହେଲା ଘର କରି ରହି ଆସଥିବା ଜାଣିବାକୁ ପାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦୧୮ ରେ ୪୩୫ ଜଣଙ୍କୁ ୬.୬୧୮ ହେକ୍ଟର ଜାଗାର ଦଖଲକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ବ୍ୟକ୍ତିଙ୍କୁ ପଟ୍ଟା ଦେବାରେ ବିଳମ୍ବ ହେବାରୁ ଏନେଇ ଆଇନଜୀବୀ ମିଶ୍ର ବାରମ୍ବାର ରାଜ୍ୟ ସରକାର ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ। ଫଳରେ ୨୦୨୦ରେ ୨୨ଜଣଙ୍କୁ ୦.୪୨୨ ହେକ୍ଟର ଜମି ପଟ୍ଟା ମିଳିଥିଲା। ସେହିପରି ୨୦୨୧ରେ ୩୯ ଜଣଙ୍କୁ ୦.୩୧୨ ହେକ୍ଟର ଜମିର ପଟ୍ଟା ପ୍ରଦାନ କରାଯାଇଥିବା ବେଳେ ଶନିବାର ୨୬ ଜଣଙ୍କୁ ୧.୨୪୪ ହେକ୍ଟର ଜମିର ପଟ୍ଟା ପ୍ରଦାନ କରାଯାଇଥିଲା। ତହସିଲ କାର୍ଯ୍ୟାଳୟରେ ୧୦ ଜଣଙ୍କୁ ପୂର୍ବତନ ବିଧାୟକ ମାଡକାମି ପଟ୍ଟା ପ୍ରଦାନ କରିଥିଲେ। ଅତିରିକ୍ତ ତହସିଲଦାର ଜଗଦିଶ କାର୍ତ୍ତାମି, ପୌର ଅଧ୍ୟକ୍ଷ ମନୋଜ ବାରିକ, ଉପାଧ୍ୟକ୍ଷା କବିତା ମହନ୍ତ, ଶ୍ୟାମ ନାୟକଙ୍କ ସହ କାଉନସିଲରମାନେ ଉପସ୍ଥିତ ଥିଲେ। ପଟ୍ଟା ନ ପାଇ ରହିଯାଇଥିବା ବ୍ୟକ୍ତିମାନେ ସେମାନଙ୍କ ପ୍ରିମିୟମ ଅର୍ଥ ପୈଠ କଲାପରେ ପଟ୍ଟା ପ୍ରଦାନ କରାଯିବ ବୋଲି କାର୍ତ୍ତାମି କହିଛନ୍ତି।