Categories: ଜାତୀୟ

୨୬ ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଚାନ୍ଦା

ନୂଆଦିଲ୍ଲୀ,୨୫ା୪:୨୦୨୧-୨୨ ଆର୍ଥତ୍କ ବର୍ଷରେ ଦେଶର ୨୬ଟି ଆଞ୍ଚଳିକ ଦଳଙ୍କୁ ମୋଟ ୧୮୯ କୋଟି ଟଙ୍କା ଚାନ୍ଦା ମିଳିଛି। ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ ଯାଇଛି। ତେବେ ବିଜେଡି, ଏଆଇଏଡିଏମ୍‌କେ, ଏନ୍‌ଡିପିପି, ଏସ୍‌ଡିଏଫ୍‌, ଏଆଇଏଫ୍‌ବି, ପିଏମ୍‌କେ ଏବଂ ଜେକେଏନ୍‌ସି ପାଇଥିବା ଚାନ୍ଦା ସମ୍ପର୍କରେ ଘୋଷଣା କରି ନ ଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରେ କୁହାଯାଇଛି। ଏମାନଙ୍କୁ ବାଦ୍‌ ଦେଇ ଅନ୍ୟ ୨୬ ଆଞ୍ଚଳିକ ଦଳ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ଘୋଷଣାନାମା ଅନୁଯାୟୀ ସେମାନେ ୫,୧୦୦ଟି ଚାନ୍ଦାରୁ ମୋଟ ୧୮୯.୮୦୧ କୋଟି ଟଙ୍କା ପାଇଛନ୍ତି। ମୋଟ ଚାନ୍ଦାର ୮୫.୪୬ ପ୍ରତିଶତ ବା ୧୬୨.୨୧ କୋଟି ଟଙ୍କା ୫ଟି ଆଞ୍ଚଳିକ ଦଳକୁ ମିଳିଛି। ସେହି ଦଳଗୁଡ଼ିକ ହେଲେ ଟିଆର୍‌ଏସ୍‌, ଏଏପି, ଜେଡିୟୁ, ସମାଜବାଦୀ ପାର୍ଟି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସ। ଟିଆର୍‌ଏସ୍‌, ଏଏପି, ସମାଜବାଦୀ ପାର୍ଟି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସର ଚାନ୍ଦା ପରିମାଣ ପୂର୍ବ ବର୍ଷ ତୁଳନାରେ ବଢ଼ିଥିବାବେଳେ ଜେଡିୟୁ ଚାନ୍ଦା ହ୍ରାସ ପାଇଛି। ତେଲଙ୍ଗାନା ୧୪ ଚାନ୍ଦାରୁ ସର୍ବାଧିକ ୪୦.୯୦ କୋଟି ଟଙ୍କା ପାଇଥିବାବେଳେ ଏଏପି ୨,୬୧୯ଟି ଚାନ୍ଦାରୁ ମୋଟ ୩୮.୨୪ କୋଟି ପାଇଛି। ଜେଡିୟୁକୁ ୩୩.୨୬ କୋଟି ଟଙ୍କା ମିଳିଥିବାବେଳେ ଏସ୍‌ପି ଏବଂ ଓ୍ବାଇଏସ୍‌ଆର୍‌-କଂଗ୍ରେସ ଯଥାକ୍ରମେ ୨୯.୮୦ କୋଟି ଏବଂ ୨୦ କୋଟି ଟଙ୍କା ପାଇଥିବା ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି। ୨୦୨୦-୨୧ ବର୍ଷରେ ଆର୍‌ଏଲ୍‌ଟିପି, ଜେଏମ୍‌ଏମ୍‌, ପିଡିଏଫ୍‌ ଏବଂ ଡିଏମ୍‌ଡିକେ ଦଳକୁ ଆଦୌ ଚାନ୍ଦା ମିଳି ନ ଥିବାବେଳେ ୨୦୨୧-୨୨ ବର୍ଷରେ ସେମାନେ ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଆର୍‌ଏଲ୍‌ଟିପିକୁ ୩ ଲକ୍ଷ ଟଙ୍କା, ଜେଏମ୍‌ଏମ୍‌କୁ ୧ ଲକ୍ଷ, ପିଡିଏଫ୍‌କୁ ୮୦,୦୦୦ ଏବଂ ଡିଏମ୍‌ଡିକେକୁ ୫୦, ୦୦୦ ଟଙ୍କା ଚାନ୍ଦା ମିଳିଛି। ଏଆଇଏଡିଏମ୍‌କେ, ଏସ୍‌ଡିଏଫ୍‌, ଏଆଇଏଫ୍‌ବି, ପିଏମ୍‌କେ ଏବଂ ଏଆଇୟୁଡିଏଫ୍‌ ଚାନ୍ଦାରେ ସର୍ବାଧିକ ହ୍ରାସ ଘଟିଛି। ଅନ୍ୟପକ୍ଷରେ ବିଜେଡି, ଏନ୍‌ଡିପିପି ଏବଂ ଜେକେଏନ୍‌ସି ୨୦୨୦-୨୧ ଏବଂ ୨୦୨୧-୨୨ରେ ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କୌଣସି ଚାନ୍ଦା ପାଇ ନ ଥିବା ଏଡିଆର୍‌ ରିପୋର୍ଟରେ କୁହାଯାଇଛି।

Share