୨୬୦୦ ବର୍ଷ ତଳର ସର୍ବ ପୁରାତନ ଟଙ୍କାଶାଳର ମିଳିଲା ସନ୍ଧାନ…

ବେଜିଂ,୭।୮: ଚାଇନାରେ ପୃଥିବୀର ସର୍ବ ପୁରାତନ ଟଙ୍କା ଶାଳର ସନ୍ଧାନ ମିଳିଛି। ଏଠାରେ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଟଙ୍କା ତିଆରି ଆରମ୍ଭ କରାଯାଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ ପ୍ରକାଶ କରିଛନ୍ତି। ୨୬ ଶହ ବର୍ଷ ତଳେ ଏଠାରେ ପ୍ରଥମ ଧାତୁ ମୁଦ୍ରା ତିଆରି କରାଯାଇଥିଲା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଜେଙ୍ଗ ରାଜ୍ୟର ଗୁଆଞ୍ଜୁଆଙ୍ଗ ସହରରେ ଖନନ ସମୟରେ ଗବେଷକମାନେ ଟଙ୍କାଶାଳକୁ ଆବିଷ୍କାର କରିଛନ୍ତି। ଏଠାରୁ ମୁଦ୍ରା ଖଣ୍ଡ, ବଳକା ଧାତୁ ଏବଂ ବହୁ ବ୍ୟବହୃତ ମୁଦ୍ରା ଛାଞ୍ଚ ମିଳିଛି। ଚାଇନାରେ ଧାତୁ ମୁଦ୍ରାର ତିଆରି ଖ୍ରୀଷ୍ଟପୂର୍ବ ୭୫୦ରୁ ୫୦୦ ମଧ୍ୟରେ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି। ଖ୍ରୀଷ୍ଟପୂର୍ବ ୨୧୧ ମସିହାରେ ଚାଇନାର ପ୍ରଥମ ସମ୍ରାଟ ଏହି ଧାତୁ ମୁଦ୍ରା ଗୁଡିକୁ ଅଚଳ ଘୋଷଣା କରିଥିଲେ। ପୂର୍ବରୁ ଧାତୁରେ ନିର୍ମିତ ମୁଦ୍ରାଗୁଡିକ ଜେଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟବହୃତ ହେଉଥିଲା।
ଏସମ୍ପର୍କରେ ଜେଙ୍ଗଜୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ହାଓ ଝାଓ କହିଛନ୍ତି ଯେ ଗୁଆଞ୍ଜୁଆଙ୍ଗ କାରଖାନା ଖ୍ରୀଷ୍ଟପୂର୍ବ ୭୭୦ରେ ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି। ପୂର୍ବରୁ ଏଠାରେ ମୁଖ୍ୟତଃ ଜାହାଜ, ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ଉତ୍ପାଦନ କରା ଯାଉଥିଲା। ପ୍ରାୟ ୧୫୦ ବର୍ଷ ପରେ କାରଖାନାରେ ମୁଦ୍ରା ତିଆରି କରିବା ଆରମ୍ଭ ହୋଇଥିବାର ଅନୁମାନ କରାଯାଉଛି। ରେଡିଓକାର୍ବନ ଡେଟିଂରୁ ଜଣାପଡ଼ିଛି ଯେ,ଟଙ୍କାଶାଳ ଖ୍ରୀଷ୍ଟପୂର୍ବ ୬୪୦ ରୁ ୫୫୦ ମଧ୍ୟରେ ଆରମ୍ଭ ହୋଇଥିଲା। ଗବେଷକମାନେ ଆଶା କରୁଛନ୍ତି ଯେ ହେନାନ ପ୍ରଦେଶରେ ଅବସ୍ଥିତ ଏହି ଅଞ୍ଚଳ ପୃଥିବୀରେ ମାନବ ସଭ୍ୟତା ସମ୍ପର୍କିତ ଇତିହାସ ଏବଂ ଏହାର ବିକାଶ ବିଷୟରେ ବହୁ ଅଜଣା ତଥ୍ୟ ପ୍ରଦାନ କରିବାକୁ ସକ୍ଷମ ହୋଇପାରିବ।

Share