‘ଦାନା’କୁ ନେଇ ଭଦ୍ରକ ପ୍ରଶାସନ ସଜାଗ: ୫୭୭ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହେଲେଣି ୨୬,୦୬୪ ଲୋକେ

ଭଦ୍ରକ, ୨୪।୧୦(ସନାତନ ରାଉତ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଧାମରା ଠାରୁ ଆଉ ମାତ୍ର ୨୪୦ କିମି ଦୂରରେ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଗୁରୁବାର ମଧ୍ୟ ରାତ୍ରିରେ ଏହା ଧାମରା ନିକଟରେ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଶୂନ ମୃତ୍ୟୁ ଆଭିମୁଖ୍ୟ ରଖି ଲୋକଙ୍କୁ କଚ୍ଚା ଘରୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ଜିଲାରେ ମୋଟ ୫୭୭ ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ୩୬ ହଜାର ୨୨୭ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ୨୬ ହଜାର ୬୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ପ୍ରଶାସନ ସୂଚନା ଦେଇଛି। ସୁପରଭାଇଜିଂ ଅଫିସରମାନେ ସ୍ଥାନାନ୍ତର ପାଇଁ ଲୋକଙ୍କୁ ବୁଝାଇ ଆଣୁଛନ୍ତି । ବରିଷ୍ଠ ଆଇଏଏସ ଅଫିସର ତ୍ରିଲୋଚନ ମାଝୀ, ଜିଲାପାଳ ଦିଲ୍ଲୀପ ରାଉତରାଏ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତିଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି । ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ବିତରଣ କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Share