୨୫ରୁ ବିଧାନସଭା ମୌସୁମୀ ଅଧିବେଶନ : ୨୪ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ତଥା ମୌସୁମୀ ଅଧିବେଶନ ଚଳିତ ମାସ ୨୫ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ରେ ଶାସକ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡିଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସେହିଦିନ ଅପରାହ୍ନ ୫ଟା ୩୦ରେ ବିଧାନସଭାର ୫୪ ନଂ. ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଦଳର ସମସ୍ତ ବିଧାୟିକା, ବିଧାୟକଙ୍କୁ ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି।
ବିଧାନସଭାରେ କିପରି ଭାବେ ବିରୋଧୀଙ୍କୁ ମୁକାବିଲା କରାଯିବ, ସେ ନେଇ ଆଲୋଚନା ହେବ। ପ୍ରଥମଥର ପାଇଁ ଭାଜପା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି। ୨୦୦୦ରୁ ୨୦୦୮ ଯାଏ ଭାଜପା ଶାସକ ବିଜେଡିର ସହଯୋଗୀ ଦଳ ଭାବେ ରହିଆସିଥିଲା। କନ୍ଧମାଳ ଦଙ୍ଗା ଘଟଣା ପରେ ବିଜେଡି ଗୈରିକ ଦଳ ସହ ମେଣ୍ଟ ସମ୍ପର୍କ ତୁଟାଇଥିଲା। ଅପରପକ୍ଷରେ ଭାଜପା ଓ କଂଗ୍ରେସର ବିଧାୟକ ଦଳ ବୈଠକ ସମ୍ପର୍କରେ କୌଣସି ଆନୁଷ୍ଠାନିକ ସୂଚନା ଏଯାବତ୍‌ ଦିଆଯାଇନାହିଁ।

Share