୨୯୬ ଛୁଇଁଲା କରୋନା ମୃତ୍ୟୁ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୦ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ଜୀବନ ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ଖୋର୍ଦ୍ଧାରୁ ୩ଜଣ ଲେଖାଏ, ସୁନ୍ଦରଗଡ଼, ରାୟଗଡ଼ା, ପୁରୀ ଓ ବାଲେଶ୍ୱରରୁ ଜଣେ ଲେଖାଏ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୬ ଛୁଇଁଛି। ଗତ ୧୧ଦିନରେ ରାଜ୍ୟରେ ୧୧୯ଜଣଙ୍କର କରୋନାରେ ଜୀବନ ଯାଇଛି। ଅଣକୋଭିଡ୍‌ରେ ପ୍ରାଣ ହରାଇଥିବା ୨ଜଣଙ୍କ ମଧ୍ୟରେ ଭୁବନେଶ୍ୱରର ୪୮ବର୍ଷୀୟ ବ୍ୟକ୍ତି ଏବଂ ନବରଙ୍ଗପୁରର ୬୭ ବର୍ଷୀୟ ବୃଦ୍ଧ ରହିଛନ୍ତି।
୨୯ ଜିଲାରୁ ଆଉ ୧୩୪୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୮ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୫୨୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୪୮, ୭୯୬କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୨୭ଜଣ ଥିବାବେଳେ ଖୋର୍ଦ୍ଧାରୁ ୨୧୮ ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୧, ଭଦ୍ରକ ୮୩, କଟକ ୭୬, ରାୟଗଡ଼ା ୭୫, ଝାରସୁଗୁଡ଼ା ୬୭, ନୟାଗଡ଼ ୫୭, ବରଗଡ଼ ୫୬, ବାଲେଶ୍ୱର ୫୪, କୋରାପୁଟ ୪୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୨୭ଜଣ ଲେଖାଏ, ସମ୍ବଲପୁର ୨୬, କଳାହାଣ୍ଡି ୨୫, କେନ୍ଦୁଝର ୨୩, ଗଜପତି ୨୦, ମାଲକାନଗିରି ୧୭, ପୁରୀ, ଜଗତସିଂହପୁର ଓ କନ୍ଧମାଳରୁ ୧୬ଜଣ ଲେଖାଏ, ଯାଜପୁର ୧୫, ଢେଙ୍କାନାଳ ଓ ସୁବର୍ଣ୍ଣପୁରରୁ ୧୪ଜଣ ଲେଖାଏ, ବୌଦ୍ଧ ୧୦, ମୟୂରଭଞ୍ଜ ୯, ନୂଆପଡ଼ା ୭, ନବରଙ୍ଗପୁର ୬, ଅନୁଗୋଳରୁ ୪ଜଣ ରହିଛନ୍ତି। ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୬,୯୨,୩୦୧ଟି ନମୁନା ପରୀକ୍ଷଣ ହୋଇଥିବାବେଳେ ୭.୦୫ ପ୍ରତିଶତ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୧୭୮୫ ସୁସ୍ଥ ହୋଇଛନ୍ତି। ଏଯାବତ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪, ୮୦୫ରେ ପହଞ୍ଚିଛି।

Share