ଜାତିସଂଘ,୧୮ା୭(ପି.ଟି.): ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ୨୭.୩ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୧୦ ବର୍ଷ ମଧ୍ୟରେ ଭାରତରେ ଗରିବୀ ସର୍ବାଧିକ ହ୍ରାସ ପାଇଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଓ ମାନବ ବିକାଶ ପଦକ୍ଷେପ (ଓପିଏଚ୍ଆଇ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଅଧ୍ୟୟନ କରାଯାଇଥିବା ୭୫ ଦେଶ ମଧ୍ୟରୁ ୬୫ରେ ୨୦୦୦ରୁ ୨୦୧୯ ମଧ୍ୟରେ ବହୁ ଦିଗରୁ ଦାରିଦ୍ର୍ୟ (ମଲ୍ଟିଡାଇମେନଶନାଲ ପ୍ରଭର୍ଟି)ସ୍ତର ଯଥେଷ୍ଟ ହ୍ରାସ ପାଇଛି।
ଦାରିଦ୍ର୍ୟ ଅର୍ଥ ଲୋକେ ବିଭିନ୍ନ ଦିଗରୁ ସମ୍ମୁଖୀନ ହେଉଥିବା ଅଭାବ। ଅର୍ଥାଭାବ ସାଙ୍ଗକୁ ଖରାପ ସ୍ବାସ୍ଥ୍ୟ, ଶିକ୍ଷାର ଅଭାବ, ଅପର୍ଯ୍ୟାପ୍ତ ଜୀବନଧାରଣ ମାନ, ନିମ୍ନମାନର କାର୍ଯ୍ୟ, ହିଂସା ଭୟ, ବିପଦସଙ୍କୁଳ ବାସସ୍ଥାନ ପରିବେଶ ଆଦିକୁ ବହୁମୁଖୀ ଦାରିଦ୍ର୍ୟ କୁହାଯାଇଥାଏ। ୬୫ଟି ଦେଶରେ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ପିଆଇ) ମୂଲ୍ୟ ହ୍ରାସ ପାଇବା ସହ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ ରହୁଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତରେ ସର୍ବାଧିକ ୨୭.୩ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିଥିବା ଏହି ରିପୋର୍ଟରେ କୁହାଯାଇଛି। ଭାରତ ସମେତ ଆର୍ମେନିଆ, ନିକାରାଗୁଆ, ନର୍ଥ ମାସେଡୋନିଆ ୫.୫ରୁ ୧୦.୫ ବର୍ଷ ମଧ୍ୟରେ ସେମାନଙ୍କର ବିଶ୍ୱିକ ଏମ୍ପିଆଇ ମୂଲ୍ୟ ଅଧାକୁ କମାଇପାରିଛନ୍ତି। ସେହିପରି ଭାରତ ସମେତ ବାଂଲାଦେଶ, ବଲିଭିଆ, କିଙ୍ଗ୍ଡମ୍ ଅଫ୍ ଏସ୍ବାଟିନି, ଗାବନ, ଗମ୍ବିଆ, ଗୁଏନା, ଲାଇବେରିଆ, ମାଲି, ମୋଜାମ୍ବିକ୍, ନିକାରାଗୁଆ, ନେପାଳ, ର୍ବାଣ୍ଡା ଆଦି ୧୪ଟି ଦେଶ ସେମାନଙ୍କ ଅଞ୍ଚଳରେ ଦାରିଦ୍ର୍ୟ କମାଇବାରେ ସକ୍ଷମ ହୋଇଛନ୍ତି।
ବର୍ତ୍ତମାନର କରୋନା ମହାମାରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ପ୍ରଭାବିତ କରିଛି। ମହାମାରୀ ପୂର୍ବରୁ ଦାରିଦ୍ର୍ୟ ହ୍ରାସରେ ଆଶାନୁରୂପ ବିକାଶ ହୋଇଥିଲା ବୋଲି ଉକ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମହାମାରୀ ପରେ ବିଶ୍ୱର ଦାରିଦ୍ର୍ୟ ଉପରେ ଏହାର କିଭଳି ପ୍ରଭାବ ପଡ଼ିଛି ତାହାର ତଥ୍ୟ ଏପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ। ତେବେ କୁପୋଷଣ ଏବଂ ସ୍କୁଲ୍ ଉପସ୍ଥାନ ଦୃଷ୍ଟିରୁ ଦେଖିଲେ ୭୦ଟି ବିକାଶଶୀଳ ରାଷ୍ଟ୍ର ଗୁରୁତର ପ୍ରଭାବିତ ହୋଇଛନ୍ତି।
ତଥ୍ୟ ଅନୁଯାୟୀ ୧୦୭ଟି ବିକାଶଶୀଳ ଦେଶର ୧୩୦ କୋଟି ଲୋକ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ବୟସ ୧୮ ବର୍ଷରୁ କମ୍। ୧୦.୭ କୋଟିଙ୍କ ବୟସ ୬୦ ବର୍ଷ କିମ୍ବା ଏହାଠାରୁ ଅଧିକ। ଏମାନଙ୍କ ପ୍ରତି କରୋନା ଭୟ ଅଧିକ ବୋଲି କୁହାଯାଉଛି। ବହୁମୁଖୀ ଦାରିଦ୍ରଙ୍କ ମଧ୍ୟରୁ ୮୪.୩ ପ୍ରତିଶତ ସବ୍-ସାହାରା ଆଫ୍ରିକା ଅଞ୍ଚଳରେ ରହୁଛନ୍ତି। ପ୍ରତିଷେଧକ ଟିକା ନେଇ ନ ଥିବା ୬୦ ପ୍ରତିଶତ ପିଲା ୧୦ଟି ଦେଶରେ ରହୁଛନ୍ତି। ଡିଟିପି୩ ଟିକା ନେଇ ନ ଥିବା ୪୦ ପ୍ରତିଶତ ପିଲା ଭାରତ, ପାକିସ୍ତାନ, ନାଇଜେରିଆ ଓ ଇଣ୍ଡୋନେସିଆରେ ରହୁଥିବା ରିପୋର୍ଟରେ କୁହାଯାଇଛି।