୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଥିବା ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭ ବିଧାନସଭା ନିର୍ବାଚନରେ ୪,୮୨୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଅର୍ଥାତ୍‌ ୮୫୯ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଥିଲେ। ଚଳିତ ନିର୍ବାଚନରେ ୮୮୯ ବା ୨୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଛି। ୨୦୧୭ରେ ୭୦୪ ଜଣଙ୍କ ବିରୋଧରେ ଏଭଳି ମାମଲା ରହିଥିଲା।
ଏଡିଆର୍‌ ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନରେ ୪,୪୦୬ ପ୍ରାର୍ଥୀଙ୍କ ମଧ୍ୟରୁ ୧,୧୪୨ ଜଣ(୨୬%) ସେମାନଙ୍କ ନାଁରେ ଆପରାଧିକ ମାମଲା ଥିବା କଥା ନାମାଙ୍କନପତ୍ର ଦାଖଲ ବେଳେ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟିର ୩୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୪ ଜଣ ଅର୍ଥାତ୍‌ ୬୫ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ଥିବାବେଳେ ସୁହଲଦେବ ଭାରତୀୟ ସମାଜ ପାର୍ଟିର ୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ (୫୮ ପ୍ରତିଶତ), ଆର୍‌ଏଲ୍‌ଡିର ୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣ (୫୮ ପ୍ରତିଶତ)ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଭାଜପାର ୩୭୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ ଅର୍ଥାତ୍‌ ୪୫%, କଂଗ୍ରେସର ୩୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୦ (୪୦%), ବିଏସ୍‌ପିର ୩୯୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୩ (୩୮%) ଜଣ ସେମାନଙ୍କ ନାଁରେ ଆପରାଧିକ ମାମଲା ରହିଥିବା ଘୋଷଣା କରିଛନ୍ତି। ସେହିପରି ଅପ୍‌ନା ଦଳ (ସୋନେଲାଲ)ରେ ୬%, ଏଏପିରେ ୧୮% ପ୍ରାର୍ଥୀ ସେମାନଙ୍କ ନାଁରେ ଆପରାଧିକ ମାମଲା ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ୬୯ ପ୍ରାର୍ଥୀଙ୍କ ନାମରେ ମହିଳାଙ୍କ ପ୍ରତି ଅପରାଧ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ବଳାତ୍କାର ମାମଲା ରହିଛି।ସେହିପରି ୩୭ ଜଣଙ୍କ ନାମରେ ହତ୍ୟା ଏବଂ ୧୫୯ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୟୁପି ବିଧାନସଭାର ୪୦୩ ଆସନ ମଧ୍ୟରୁ ୨୨୬ ଅର୍ଥାତ୍‌ ୫୬ ପ୍ରତିଶତ ରେଡ୍‌ ଆଲର୍ଟରେ ରହିଛି। ଆର୍‌ଏଲ୍‌ଡିର ୯୪ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ମୂଲ୍ୟ କୋଟିଏରୁ ଅଧିକ ହୋଇଥିବାବେଳେ ଭାଜପାର ୯୦ ପ୍ରତିଶତ, ସମାଜବାଦୀ ପାର୍ଟିର ୮୭ ପ୍ରତିଶତ ପ୍ରାର୍ଥୀ କୋଟିପତି ଥିବା ଜଣାପଡ଼ିଛି। ସେହିପରି ବିଏସ୍‌ପିର ୭୯%, ଅପ୍‌ନା ଦଳ (ସୋନେଲାଲ୍‌)ର ୭୧%, ସୁହେଲଦେବ ଭାରତୀୟ ସମାଜ ପାର୍ଟିର ୬୮%, କଂଗ୍ରେସର ୫୦% ଏବଂ ଏଏପିର ୩୩ ପ୍ରତିଶତ ପ୍ରାର୍ଥୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ବୋଲି ସେମାନେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି।

Share