ଜାଗର ଲାଗି ରାଜଧାନୀରେ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାତି ପାହିଲେ ଜାଗର । ମହାଦୀପ ନେଇ ମନ୍ଦିର ମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ କରୋନା କଟକଣା ରହିଛି, ସେହି ନିୟମ ଅନୁପାଳନ କରାଯିବ । ଜିଲାପାଳ, ବିଏମ୍‌ସି କମିଶନରଙ୍କ ସହ ଆଲୋଚନା ଅନୁଯାୟୀ ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ୩.୩୦ ଠାରୁ ୫ ଟା ଯାଏ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ରାଜଧାନୀରେ ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଡିସିପି ଟ୍ରାଫିକ ଏ ଦାୟିତ୍ୱରେ ରହିବେ। କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତ।

Share