Categories: ଜାତୀୟ

ସୀତାରାମନ, ଗୋୟଲଙ୍କ ସମେତ ୨୭ ରାଜ୍ୟ ସଭା ସଦସ୍ୟ ଶପଥ ନେଲେ

ନୂଆଦିଲ୍ଲୀ,୯ା୭ :କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରାମନ, ପୀୟୂଷ ଗୋୟଲ, ବିଜେଡି ନେତା ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କ ସମେତ ୨୭ ଜଣ ନବନିର୍ବାଚିତ ରାଜ ସଭ୍ୟ ସଦସ୍ୟ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ତାଙ୍କ ଚାମ୍ବରରେ ଏହି ନବନିର୍ବାଚିତ ସଦସ୍ୟମାନଙ୍କୁ ସମ୍ବିଧାନର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ଶପଥ ପାଠ କରାଇଥିଲେ। ମୋଟ ୫୭ଜଣ ନବନିର୍ବାଚିତଙ୍କ ମଧ୍ୟରୁ ୧୦ ରାଜ୍ୟର ୨୭ଜଣ ୯ ଭାଷାରେ ତଥା ହିନ୍ଦୀରେ ୧୨ଜଣ, ଇଂଲିଶ୍‌ରେ ୪, ସଂସ୍କୃତ, କନ୍ନଡ଼, ମରାଠୀ, ଓଡ଼ିଆରେ ୨ଜଣ ଲେଖାଏ ଏବଂ ପଞ୍ଜାବୀ, ତାମିଲ, ତେଲୁଗୁରେ ଜଣେ ଲେଖାଏ ସଦସ୍ୟ ଶପଥ ନେଇଛନ୍ତି। ନିକଟରେ ୪ଜଣ ନୂଆ ସଦସ୍ୟ ଶପଥ ନେଇସାରିଛନ୍ତି। ଏହି ଅବସରରେ ରାଜ୍ୟ ସଭା ଅଧ୍ୟକ୍ଷ ନାଇଡୁ କହିଛନ୍ତି ଯେ, ଏଯାଏ ଶପଥ ନେଇ ନ ଥିବା ନିର୍ବାଚିତ ସଦସ୍ୟମାନେ ମଧ୍ୟ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭାଗନେଇପାରିବେ। ଏହାର କାରଣ ସମ୍ପର୍କରେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ରାଜ୍ୟ ସଭା ନିର୍ବାଚନରେ ଜଣେ ବିଜେତା ଘୋଷଣା ହେବା ଦିନଠାରୁ ତାଙ୍କୁ ଗୃହର ସଦସ୍ୟ ଭାବେ ବିବେଚନା କରାଯାଇଥାଏ। ତେବେ ଗୃହ ଏବଂ ଏହାର କମିଟି କାର୍ଯ୍ୟ ପ୍ରକ୍ରିୟାରେ ଅଂଶଗ୍ରହଣ ନିମନ୍ତେ ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ପାଠ କରାଯାଇଥାଏ ବୋଲି ନାଇଡୁ କହିଛନ୍ତି। ଶୁକ୍ରବାର ଶପଥ ନେଇଥିବା ନୂଆ ଏବଂ ପୁନଃ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରେ ଜୟରାମ ରମେଶ, ବିବେକ କେ ତଙ୍ଖା, ମୁକୁଲ ଓ୍ବାସନିକ୍‌ (କଂଗ୍ରେସ), ସୁରେନ୍ଦ୍ର ସିଂ ନାଗର, କେ. ଲକ୍ଷ୍ମଣ, ଲକ୍ଷ୍ମୀକାନ୍ତ ବାଜପେୟୀ (ଭାଜପା), ଜୟନ୍ତ ଚୌଧାରୀ, କଳ୍ପନା ସାଇନି ଏବଂ ଆର୍‌. ଧରମାର ପ୍ରମୁଖ ରହିଛନ୍ତି।

Share