ରାଇଘର,୧୫ା୭(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ରାଇଘର ବନ ବିଭାଗ ଟିମ୍ ଗୁରୁବାର ରାତିରେ ପାଟ୍ରୋଲିଂବେଳେ କୁସୁମପୁର-ଜୈଲଗୁଡ଼ା ନିକଟରେ ଏକ ସାଗୁଆନ କାଠ ବୋଝେଇ ପିକ୍ଅପକୁ ଜବତ କରିଛି। ସେଥିରୁ ୨୮ ଖଣ୍ଡ ସାଗୁଆନ କାଠ ଗଣ୍ଡି ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ପିକ୍ଅପ ଚାଳକ ଜାକିର୍ ଖାନ୍(୫୩)।
ସୂଚନା ଅନୁଯାୟୀ, ରାଇଘର ବନପାଳ ରାମଚନ୍ଦ୍ର ଜାନି, ଭୁବନେଶ ପୂଜାରୀ, ଲାଲୁ ବିଶୋଇ, ହେମନ୍ତ ହରିଜନ, ଗୋକୁଲ ମଣ୍ଡଳଙ୍କ ସମେତ ପାରା କର୍ମଚାରୀ ରାଇଘର ବନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପାଟ୍ରୋଲିଂ କରୁଥିଲେ। କୁସୁମପୁର ଜୈଲଗଡ଼ା ନିକଟରେ ଏକ ପିକ୍ଅପ(ଓଆର୍ ୨୪ ୧୯୫୯)କୁ ଦେଖି ବନ କର୍ମଚାରୀମାନେ ଅଟକାଇଥିଲେ। ଯାଞ୍ଚବେଳେ ସେଥିରେ ସାଗୁଆନ ଗଣ୍ଡି ଥିବା ଜଣାପଡ଼ିଥିଲା। ଗାଡ଼ିକୁ ରାଇଘର ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଚାଳକଙ୍କୁ ପଚରାଉଚରା ବେଳେ କାଠଗଣ୍ଡି କୁନ୍ଦେଇ ଥାନା ଅନ୍ତର୍ଗତ ସମ୍ବଲପୁରରୁ ସୋନପୁର ଗ୍ରାମକୁ ଯାଉଥିବା ଜଣାପଡ଼ିଥିଲା। ଜବତ କାଠର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ବନପାଳ କହିଛନ୍ତି।