୧୧ଶହ ପୁରସ୍କାର ପାଇଁ ୨୭ ହଜାର ଗାଏବ

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା)ଓଡ଼ିଶାରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଚାଲିଛି। ଗାଁ ଗାଁ ଜନସଚେତନତା ପାଇଁ ରଥ ବୁଲି ପ୍ରଚାର କରୁଛି। ତେବେ ସଚେତନତା ଅଭାବରୁ ଶନିବାର ରାୟଗଡ଼ାରେ ଏକ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ବୁଲା ବିକାଳି ଯୁବକ। ଶନିବାର ସକାଳୁ ଜଣେ ଯୁବକଙ୍କୁ ଏକ ଫୋନ୍‌ କଲ୍‌ ଆସିଲା। ଉକ୍ତ କଲ୍‌ରେ ସେ ଫୋନ୍‌ପେ ଅଧିକ ବ୍ୟବହାର କରୁଥିବାରୁ ତାଙ୍କୁ ଫୋନ୍‌ପେ ପକ୍ଷରୁ ୧୧୦୦ ଟଙ୍କା ମିଳିଛି। ଏହି ଟଙ୍କାର ଲୋଭ ଦେଖାଇ ଦୁର୍ବୃତ୍ତ ଜଣକ ଫୋନ୍‌ପେ ମାଧ୍ୟମରେ ଯୁବକଙ୍କ ଆକାଉଣ୍ଟରୁ ୩ ଥର କରି ୯,୯୯୯ ଟଙ୍କା ମୋଟ ୨୯,୯୯୭ଟଙ୍କା ନେଇଥିବା ଜଣାପଡ଼ିଛି। ଶେଷରେ ନିରାଶ ହୋଇ ଯୁବକ ଜଣକ ରାୟଗଡ଼ା ଟାଉନ ଥାନାକୁ ଆସି ଏତଲା ଦେଇଥିଲେ। ଆଇଆଇସି କେକେବିକେ କହଁର ଯୁବକଙ୍କ ଫୋନ୍‌ରୁ ସାଇବର ଅପରାଧ ନିୟନ୍ତ୍ରଣ ସହାୟତା ପାଇଁ ଜାରି ହୋଇଥିବା ୧୯୩୦ ନମ୍ବରରେ ଅଭିଯୋଗ କରିବାକୁ କହିଥିଲେ। ଯୁବକ ଜଣକ ୧୯୩୦କୁ ଫୋନ୍‌ କରି ଅଭିଯୋଗ କରିଥିଲେ। ବର୍ତ୍ତମାନ ପୋଲିସ ସାଇବର ସେଲ୍‌ ଏହି ଅଭିଯୋଗକୁ ଭିତ୍ତିକରି ତଦନ୍ତ କରୁଥିବା ଆଇଆଇସି କହଁର କହିଛନ୍ତି।
ପ୍ରକାଶ ଯେ, ସୁଦୂର ସୋନପୁର ଜିଲାର ଅନ୍ଧାରୀମାଝି ଗ୍ରାମର ଜଣେ ଯୁବକ କୁନାଲ ପାତ୍ର ରାୟଗଡ଼ାରେ ରହି ଜିଲାର ବିଭିନ୍ନ ଗାଁ ବୁଲି ଆୟୁର୍ବେଦିକ ଔଷଧ ବିକ୍ରି କରିଥାନ୍ତି। କୁନାଲଙ୍କୁ ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ୯୦୩୮୮୯୧୯୫୮ରୁ ଫୋନ୍‌ ଆସିଥିଲା। କୁନାଲ ନିଜର ଟଙ୍କା କାରବାର ପାଇଁ ଫୋନ୍‌ପେ ଆପ୍‌ ବ୍ୟବହାର କରୁଥିବାରୁ ତାଙ୍କୁ ଫୋନ୍‌ପେ ପକ୍ଷରୁ ୧୧୦୦ ଟଙ୍କାର ପୁରସ୍କାର ମିଳିଛି। ତେବେ ଏହି ଟଙ୍କା ପାଇବାକୁ ତାଙ୍କୁ ନିଜ ଫୋନ୍‌ପେ ଆପ୍‌ରେ ଏକ ପ୍ରକ୍ରିୟା ମାଧ୍ୟମରେ ଯିବାକୁ ପଡ଼ିବ। ପ୍ରଥମେ କୁନାଲ ଭରସା କରି ନ ଥିଲେ ମଧ୍ୟ ଅଜଣା ବ୍ୟକ୍ତି ଜଣକ କଥାରେ ବିଶ୍ୱାସ କରି ପରବର୍ତ୍ତୀ ସମୟରେ ସେ କହିବା ଆକାରରେ କରିଥିଲେ ା ଉକ୍ତ ଦୁର୍ବୃତ୍ତ ଜଣକ କୁନାଲଙ୍କ ଆକାଉଣ୍ଟରୁ ଫୋନ୍‌ ପେ ମାଧ୍ୟମରେ ୯୯୯୯ ଟଙ୍କା ୩ ଥର କାଟି ନେଇ ଆମାଜନ୍‌ର ଗୋଟିଏ ଏବଂ ଫ୍ଲିପ୍‌କାର୍ଟର ୨ଟି କରି ମୋଟ ୩ଟି ଗିଫ୍ଟ ଭାଉଚର କ୍ରୟ କରିଛନ୍ତି। ଏହିଭଳି କରି କୁନାଲଙ୍କ ଆକାଉଣ୍ଟରୁ ୨୯,୯୯୭ଟଙ୍କା ଗାଏବକରି ଦେଇଛନ୍ତି।
ଏନେଇ ଆଇଆଇସି କହଁରଙ୍କୁ ପଚାରିବାରୁ ଏଭଳି ଟଙ୍କା କାରବାର ପାଇଁ କୌଣସି ମେସେଜ କିମ୍ବା ଫୋନ୍‌ କଲ୍‌ ଆସିଲେ କାହାକୁ ନିଜର କୌଣସି ଗୋପନୀୟ ତଥ୍ୟର ସୂଚନା ଦିଅନ୍ତୁ ନାହିଁ। ସାଇବର କ୍ରାଇମ୍‌ ସହାୟତା ନମ୍ବର ୧୯୩୦ରେ ଫୋନ୍‌ କରି ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Share