Categories: ଜାତୀୟ

ନିର୍ବନ୍ଧର ୩ ଦିନ ପୂର୍ବରୁ ପାଣି ଡ୍ରମରୁ ମିଳିଲା ଯୁବତୀଙ୍କ ମୃତଦେହ

ଖଣ୍ଡଓ୍ବା,୬।୨: ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ତାଙ୍କ ଘରେ ରଖାଯାଇଥିବା ପାଣି ଡ୍ରମରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ ରବିବାର ଘଟିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ପାଣି ଡ୍ରମରେ ଲୁଚାଇ ଦିଆଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ମୃତକଙ୍କ ନାମ ରଜନି ମାସାରା। ସେ ଖାଣ୍ଡଓ୍ବା ମ୍ୟୁନିସିପାଲ କର୍ପୋରେଶନ ୩ ଶ୍ରେଣୀର କ୍ଲର୍କ ଭାବେ କାମ କରୁଥିଲେ। ରଜନି ଭଡ଼ା ଘରେ ଏକୁଟିଆ ରହୁଥିଲେ। ୩ ଦିନ ପରେ ତାଙ୍କର ନିର୍ବନ୍ଧ ହେବାର ଥିଲା। ଏହି ହତ୍ୟାକାଣ୍ଡରେ ଯୁବତୀଙ୍କ ପ୍ରେମିକଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗତ ଶୁକ୍ରବାର ରଜନିଙ୍କ ମା’ ତାଙ୍କୁ ଯୋଗାଯୋଗ କରିବାକୁ ଫୋନ କଲ୍‌ କରିଥିଲେ। କିନ୍ତୁ ଫୋନ ସୁଇଚ୍‌ ଅଫ୍‌ ଥିଲା। ପରଦିନ ରଜନିଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ତାଙ୍କ ମା’। ମାତ୍ର କବାଟ ନ ଖୋଲିବାରୁ ସେ ଘରର ପଛ ବାଟ ଦେଇ ଘରେ ପଶିଥିଲେ। ଘର ଭିତର ଦୃଶ୍ୟ ଦେଖି ସେ ତୁରନ୍ତ ଜଣାଇଥିଲେ ପୋଲିସକୁ। ଖୋଜାଖୋଜି ପରେ ପାଣି ଡ୍ରମରୁ ମିଳିଥିଲା ରଜନିଙ୍କ ମୃତଦେହ।

“ଘର ଭିତର ଦୃଶ୍ୟ ଦେଖି ଲାଗୁଛି, ଏହା ଏକ ହତ୍ୟାକାଣ୍ଡ। ମୃତଦେହର ବ୍ୟବଚ୍ଛେଦ ପରେ ସବୁ କିଛି ସ୍ପଷ୍ଟ ହେବ” ବୋଲି ଖାଣ୍ଡଓ୍ବା ଏସ୍‌ପି ବିବେକ ସିଂ କହିଛନ୍ତି।

Share