ପୁଣି କେନ୍ଦ୍ରକୁ ଚିଠ: ଆସିଲା ୨ଲକ୍ଷ ୭୧ହଜାର ଡୋଜ୍‌ ଟିକା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଓଡ଼ିଶାକୁ ସ୍ବଳ୍ପ ଓ ଅନିୟମିତ ଭାବେ କୋଭିଡ୍‌-୧୯ ଟିକା ଯୋଗାଣ ଯୋଗୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଟିକା ଦେବା ପାଇଁ ପୁଣି କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ସୋମବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଏପ୍ରିଲ ୩ ଗୋଟିଏ ଦିନରେ ରାଜ୍ୟରେ ୧୪୭୬ ଟିକାକରଣ କେନ୍ଦ୍ରରେ ୨,୭୧,୪୮୦ ଜଣ ହିତାଧିକାରୀ ଟିକା ନେଇଥିଲେ। ଏହାପରଠାରୁ ଟିକା ଯୋଗାଣରେ ଅନିୟମିତତା ଯୋଗୁ ରାଜ୍ୟ ହାରାହାରି ଅଧା ଅର୍ଥାତ୍‌ ପ୍ରାୟ ୭୦୦ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହୋଇଛି। ଦୈନିକ ୩ ଲକ୍ଷ ଟିକା ଦେବାର କ୍ଷମତା ରହିଥିଲେ ମଧ୍ୟ ଏବେ ଏହି ସଂଖ୍ୟା ୧ ଲକ୍ଷକୁ ଖସିଆସିଛି। ଏଭଳି ପରିସ୍ଥିତିରେ ଆମ ପକ୍ଷରେ ‘ଟିକାଦାନ ଉତ୍ସବ’କୁ ଠିକ୍‌ ଭାବେ ପାଳନ କରିବା ସମ୍ଭବ ହେଉ ନାହିଁ। ତେଣୁ ଅତ୍ୟନ୍ତପକ୍ଷେ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ଓଡ଼ିଶାର ବାରମ୍ବାର ଦାବି ଓ ଚିଠି ପରେ ବି ଆବଶ୍ୟକ ପରିମାଣର ଟିକା ପଠାଉନି କେନ୍ଦ୍ର। ଏକ୍ଷେତ୍ରରେ ପାତର ଅନ୍ତର କରାଯାଉଥିବା ମଧ୍ୟ କେନ୍ଦ୍ରକୁ ଅବଗତ କରାଯାଇଥିଲା। ଏହାପରେ ଶନିବାର ରାଜ୍ୟକୁ ୨.୫ଲକ୍ଷ ଟିକା ଆସିଥିବାବେଳେ ସୋମବାର ଆଉ ୨ଲକ୍ଷ ୭୧ହଜାର ଡୋଜ୍‌ କୋଭିଶିଲ୍ଡ ଟିକା ଆସି ପହଞ୍ଚତ୍ଥିବା ସୂଚନା ମିଳିଛି। ସେପଟେ ରବିବାରଠାରୁ ଟିକା ଉତ୍ସବ ଚାଲିଥିବାବେଳେ ଟିକା ଅଭାବରୁ ଅଧିକାଂଶ କେନ୍ଦ୍ର ବନ୍ଦ ରହିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ୭୦୦ ଟିକା କେନ୍ଦ୍ର ବନ୍ଦ ରହିଛି। ୭୭୫ଟି ଟିକା କେନ୍ଦ୍ରରେ ଟିକାକରଣ ଚାଲିଛି। ସୋମବାର ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱରର ୱାର୍କ ପ୍ଲେସରେ ଟିକା ଦିଆଯାଇଛି।

Share