Categories: ଅନୁଗୋଳ

ଦିନକରେ କଟାଗଲା ୨୭୭ ଚାଲାଣ

ଅନୁଗୋଳ ଅଫିସ, ୨୬।୫: ଅନୁଗୋଳ ଜିଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଜାତୀୟ ରାଜପଥ ହେଉ କି ରାଜ୍ୟ ରାଜପଥ, ଦୈନିକ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ଜୀବନହାନି ଘଟୁଛି। ସଡ଼କ ସୁରକ୍ଷା ନିୟମ ପାଳନ କରାଯାଉ ନ ଥିବାରୁ ଦୁର୍ଘଟଣା ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଥିବା ଅଭିଯୋଗ ପରେ ଏବେ କଠୋର ଆଭିମୁଖ୍ୟ ଦେଖାଇଛି ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ। ବୁଧବାର ଜିଲାର ବିଭିନ୍ନ ସ୍ଥାନରେ ଗାଡ଼ି ଚେକିଂ କରାଯାଇ ୨୭୭ ଜଣ ଚାଳକଙ୍କ ନାମରେ ଚାଲାଣ କଟାଯାଇଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ଅଞ୍ଚଳିକ ପରିବହନ ଅଧିକାରୀ ବିଭବ ସାମନ୍ତସିଂହ ରାୟ ସୂଚନା ଦେଇଛନ୍ତି।
ଅନୁଗୋଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। ଜିଲାରେ ବିଭିନ୍ନ ସ୍ଥାନରେ ଚେକିଂ ମାଧ୍ୟମରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଟ୍ରକ୍‌ ଚାଳକଙ୍କ ଗତିବିଧ ଉପରେ ନଜର ରଖାଯାଇଥିଲା। ବିଶେଷକରି ହେଲମେଟ୍‌ ପିନ୍ଧି ନ ଥିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା, ବାଇକ୍‌ରେ ୩ ଜଣିଆ ଯାତ୍ରା ଓ ନାବାଳକଙ୍କ ଗାଡ଼ି ଚାଳନା ଉପରେ ଅଧିକ ଦୃଷ୍ଟି ଦିଆଯାଇଥିଲା। ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ସହରାଞ୍ଚଳ ରାସ୍ତାରେ ଏହି ଯାଞ୍ଚ କରାଯାଇଥିଲା। କେବଳ ସହର ମଧ୍ୟରେ ଚେକିଂ ବେଳେ ୩୬ ଜଣ ଗାଡ଼ି ଚାଳକଙ୍କ ନାମରେ ଚାଲାଣ କଟାଯାଇଥିଲା। ଜିଲାର ବିଭିନ୍ନ ସ୍ଥାନରେ ବିନା ହେଲମେଟରେ ଯାଉଥିବା ୨୦୨ ଜଣ ଧରାପଡ଼ିଥିଲେ। ବାଇକ୍‌ରେ ୩ ଜଣିଆ ଯାତ୍ରା କରୁଥିବା ଅଭିଯୋଗରେ ୧୭ ଜଣ ଚାଳକଙ୍କୁ ଜରିମାନା କରାଯାଇଥିଲା। ୫୩ ଜଣ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା। ମଦ୍ୟପାନ କରି ଡ୍ରାଇଭିଂ ଯୋଗୁ ୪ଟି ଟ୍ରକ୍‌ ସିଜ୍‌ କରାଯାଇଥିଲା। ପରିବହନ ଅଧିକାରୀ ବିଭବ ସାମନ୍ତସିଂହ ରାୟ କହିଛନ୍ତି, ୫୩ଜଣ ଚାଳକଙ୍କ ଲାଇସେନ୍ସକୁ ୩ ମାସ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କ ଉପରେ ସେଶାଲ ଡ୍ରାଇଭ କରାଯିବ।