୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଖାଦ୍ୟସଙ୍କଟ ଉପରେ ଏହି ବୈଶ୍ୱିକ ରିପୋର୍ଟରେ କୁହାଯାଇଛି, ଖାଦ୍ୟ ସୁରକ୍ଷାରେ ଅବନତି ଯୋଗୁ ୨୦୨୨ ତୁଳନାରେ ଗତବର୍ଷ ଅଧିକ ୨୪ ନିୟୁତ ଲୋକଙ୍କୁ ଖାଦ୍ୟାଭାବର ସାମନା କରିବାକୁ ପଡ଼ିଛି। ବିଶେଷ କରି ଗାଜାଷ୍ଟ୍ରିପ୍‌ ଏବଂ ସୁଦାନରେ ଖାଦ୍ୟ ସଙ୍କଟ ସର୍ବାଧିକ ରହିଛି। ପୂର୍ବ ବର୍ଷ ତୁଳନାରେ ଗତବର୍ଷ ଅଧିକ ଦେଶ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।
ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ମୁଖ୍ୟ ଅର୍ଥନୀତିଜ୍ଞ ମ୍ୟାକ୍ସିମୋ ଟୋରେରୋଙ୍କ ମତରେ ୫ମ ପର୍ଯ୍ୟାୟରେ ୫ ଦେଶର ୭,୦୫,୦୦୦ ଲୋକ ସର୍ବାଧିକ ସ୍ତରର ଖାଦ୍ୟ ସଙ୍କଟର ସାମନା କରୁଛନ୍ତି। ୨୦୧୬ରୁ ଏହି ବୈଶ୍ୱିକ ରିପୋର୍ଟ ପ୍ରକାଶ ପାଉଥିବାବେଳେ ଗତବର୍ଷ ସର୍ବାଧିକ କ୍ଷୁଧାର ସମ୍ମୁଖୀନ ଲୋକଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି। ସେମାନଙ୍କର ୮୦ ପ୍ରତିଶତ ଅର୍ଥାତ୍‌ ୫,୭୭,୦୦୦ ଜଣ କେବଳ ଗାଜା, ଦକ୍ଷିଣ ସୁଦାନ, ବୁର୍କିନା ଫାସୋ, ସୋମାଲିଆ ଏବଂ ମାଲିର ବାସିନ୍ଦା। ଇସ୍ରାଏଲ୍‌-ହମାସ ଆକ୍ରମଣ ୭ ମାସ ହେଲା ଜାରି ରହିଥିବାବେଳେ ଗାଜାର ୧୧ ଲକ୍ଷ ଲୋକ ଗୁରୁତର ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ସମେତ ଦକ୍ଷିଣ ସୁଦାନର ୭୯ ହଜାର ଲୋକ ପଞ୍ଚମ ପର୍ଯ୍ୟାୟ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା ରିପୋର୍ଟରେ କୁହାଯାଇଛି। ବିଦ୍ରୋହ ଯୋଗୁ ହାଇତିରେ ମଧ୍ୟ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏହା ସାଙ୍ଗକୁ ଚଳିତବର୍ଷ ପ୍ରଥମ ଭାଗରେ ଏଲ୍‌ ନିନୋ ପ୍ରଭାବ ଯୋଗୁ ଖାଦ୍ୟ ସୁରକ୍ଷା ପ୍ରଭାବିତ ହୋଇଛି। ପୂର୍ବ ଆଫ୍ରିକାର କେତେକ ଭାଗରେ ବନ୍ୟା ତ ପୁଣି କେତେକ ଅଞ୍ଚଳରେ ଅନାବୃଷ୍ଟି ଦେଖାଦେଇଛି। ସେହିପରି ଦକ୍ଷିଣ ଆଫ୍ରିକାର ମାଲାଓ୍ବି, ଜାମ୍ବିଆ ଏବଂ ଜିମ୍ବାଓ୍ବେରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱରେ ପ୍ରଚୁର ଖାଦ୍ୟ ଥିବାବେଳେ ପିଲାମାନେ କ୍ଷୁଧାରେ ମରିବା ମାନବୀୟ ବିଫଳତା ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଉକ୍ତ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି। ଗତ ୧୨ ମାସ ହେଲା ବିବାଦ ଏବଂ ଯୁଦ୍ଧ ଭୟାନକ ବିଶ୍ୱ ସ୍ଥିତି ସୃଷ୍ଟି କରିଥିବା ରିପୋର୍ଟରେ ଲେଖାଯାଇଛି।
ରିପୋର୍ଟ ଅନୁଯାୟୀ ୩୯ ଦେଶର ୩୬ ନିୟୁତରୁ ଅଧିକ ଲୋକ ଚତୁର୍ଥ ପର୍ଯ୍ୟାୟ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଛନ୍ତି। ସେଥିରେ ସୁଦାନ ଏବଂ ଆଫଗାନିସ୍ତାନର ଏକ-ତୃତୀୟାଂଶରୁ ଅଧିକ ଲୋକ ରହିଛନ୍ତି। ୨୦୨୨ ତୁଳନାରେ ଏହା ୧ ମିଲିୟନ ଅଧିକ।

Share