Categories: ଜାତୀୟ

ଅନ୍‌ଲାଇନ୍‌ ଗେମିଂରେ ଲାଗିବ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ, ୧୨ା୭: ଅନ୍‌ଲାଇନ ଗେମିଂ, କାସିନୋ ଏବଂ ହର୍ସ ରେସିଂରେ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିବା ପାଇଁ ମଙ୍ଗଳବାର ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କାଉନ୍‌ସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ସିନେପ୍ଲେକ୍ସ ଭିତରେ ଥିବା ରେଷ୍ଟୁରାଣ୍ଟରେ ଜିଏସ୍‌ଟି ପରିମାଣ ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଥିବାବେଳେ କ୍ୟାନ୍‌ସର ଔଷଧ ଡିନୁଟୁକ୍ସିମାବ୍‌ ଏବଂ ସ୍ବତନ୍ତ୍ର ମେଡିକାଲ ଉଦ୍ଦେଶ୍ୟର ଖାଦ୍ୟକୁ ଜିଏସ୍‌ଟିରୁ ବାଦ୍‌ ଦିଆଯାଇଛି। ନୂଆଦିଲ୍ଲୀରେ ଜିଏସ୍‌ଟି କାଉନସିଲ୍‌ର ୫୦ତମ ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଅନ୍‌ଲାଇନ ଗେମିଂ ସମେତ କାସିନୋ ଏବଂ ହର୍ସ ରେସିଂରେ ଟିକସ ଲଗାଇବା ପ୍ରସ୍ତାବରେ ପୂର୍ବରୁ ମନ୍ତ୍ରୀଗୋଷ୍ଠୀ ବୈଠକରେ ସହମତି ପ୍ରକାଶ ପାଇଥିଲା। ଦକ୍ଷତା ଗେମ୍‌ ଏବଂ ସୁଯୋଗର ଗେମ୍‌ ମଧ୍ୟରେ କୌଣସି ପ୍ରାର୍ଥକ୍ୟ ରହିବା ଉଚିତ ନୁହେଁ ବୋଲି କାଉନସିଲ ସହମତ ହୋଇଛି। ଅନ୍‌ଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସ୍‌ଟି ନ ଲଗାଇବାକୁ ଏଫ୍‌ଆଇସିସିଆଇ ଗେମିଂ କମିଟି କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ ବୋର୍ଡ (ସିବିଆଇସି)କୁ ଅନୁରୋଧ କରିଛି। ୨୮% ଟିକସ ଲାଗୁ ହେଲେ ଅନ୍‌ଲାଇନ୍‌ ଗେମିଂ ଶିଳ୍ପକୁ ବଞ୍ଚାଇ ରଖିବା କଷ୍ଟକର ହୋଇପଡ଼ିବ ବୋଲି ଗେମିଂ ଫାର୍ମଗୁଡ଼ିକ ପକ୍ଷରୁ କୁହାଯାଇଛି।

Share