Categories: ଜାତୀୟ

ଆଫଗାନିସ୍ତାନରେ ଆଜମଗଡର ୨୮ବାସିନ୍ଦା, ପାସପୋର୍ଟ ନେଲେ ଛଡ଼ାଇ…

କାବୁଲ/ନୂଆଦିଲ୍ଲୀ,୧୯।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଅବସ୍ଥା ବିଗିଡିଯିବାରୁ ବହୁ ଭାରତୀୟ ସ୍ବଦେଶ ଫେରିଥିବାବେଳେ କେତେକ ବର୍ତ୍ତମାନ ସେଠାରେ ଅଟକି ରହିଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଚାଲିଛି। ଉତ୍ତରପ୍ରଦେଶର ଆଜମଗଡ ସମେତ ଆଖପାଖର ପ୍ରାୟ ୨୮ ଜଣ ବ୍ୟକ୍ତି ଏବେ ଆଫଗାନିସ୍ତାନର ଏକ କାରଖାନାରେ ଫସି ରହିଛନ୍ତି। ଘରକୁ ଫେରିବାକୁ ଅପେକ୍ଷା କରିଛନ୍ତି। ସେମାନ ମଧ୍ୟରେ ଆଜମଗଡ ଜଲାର ନରାଂଓ୍ବ ଗାଁର ବାସିନ୍ଦା ଧର୍ମେନ୍ଦ୍ର ଚୌହାନ ରହିଛନ୍ତି। ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟଙ୍କ ଅନୁସାରେ ତାଙ୍କ ସହିତ ପ୍ରାୟ ୨୮ ଜଣ ଲୋକ ଇସ୍ପାତ କାରଖାନାରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଗୋରଖପୁର, ଦେଓରିଆ ଏବଂ ଏହାର ଆଖପାଖ ଅଞ୍ଚଳର ବାସିନ୍ଦା ଅଛନ୍ତି। ସେମାନଙ୍କଠାରୁ ପାସପୋର୍ଟ ଛଡ଼ାଇ ନିଆଯାଇଛି। ଏଭଳି ଖରାପ ପରିସ୍ଥିତିରେ ଫସି ରହିଥିବା ଲୋକଙ୍କ ପରିବାର ଭାରତ ସରକାରଙ୍କୁ ସେମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ସହାୟତାରେ ଆଫଗାନିସ୍ତାନରେ ବହୁ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପଗୁଡ଼ିକରେ କାମ କରିବା ପାଇଁ ଲୋକମାନେ ଭାରତରୁ ସେଠାକୁ ଯାଇଥିଲେ।

Share