ଫେବୃୟାରୀରେ ୨୮ ଅପହରଣ ମାମଲା

ଭୁବନେଶ୍ୱର,୧୧।୩(ବ୍ୟୁରୋ): କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ କିଡ୍‌ନାପିଙ୍ଗ୍‌ ଓ ମ୍ୟାନ୍‌ ମିସିଂ ସେଲ୍‌ କାମ କରୁଛି। ଏହି ସେଲ୍‌ ଅପହରଣ ମାମଲାରେ ଥାନାର ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁଛି। ତେବେ ପୂର୍ବ ମାସ ଅପେକ୍ଷା ଫେବୃୟାରୀରେ ତଦନ୍ତ ପିଛେଇଥିବା ଜଣାପଡ଼ିଛି। ଜାନୁୟାରୀରେ ବିଭିନ୍ନ ଥାନାରେ ୨୭ଟି ଅପହରଣ ମାମଲା ରୁଜୁ ହୋଇଥିବାବେଳେ ପୂର୍ବରୁ ରହିଥିବା ୪୫ଟି ମାମଲାର ତଦନ୍ତ ଶେଷ କରାଯାଇଥିଲା। ହେଲେ ଫେବୃୟାରୀରେ ୨୮ ଅପହରଣ ମାମଲା ରୁଜୁ କରାଯାଇଥିବା ବେଳେ ମାତ୍ର ୩୧ ମାମଲାର ତଦନ୍ତ ଶେଷ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଯାୟୀ, ମଞ୍ଚେଶ୍ୱର ଥାନାରେ ସର୍ବାଧିକ ୪ ଅପହରଣ ମାମଲା ହୋଇଥିବାବେଳେ ଧଉଳି, ଖଣ୍ଡଗିରି ଓ ଶହୀଦନଗର ଥାନାରେ ୩ଟି ଲେଖାଏ ମାମଲା ଏବଂ ବାଲିଅନ୍ତା, ଚନ୍ଦକା, ଇନ୍‌ଫୋଭ୍ୟାଲି, ଲକ୍ଷ୍ମୀସାଗର, ଲିଙ୍ଗରାଜ, ନୟାପଲ୍ଲୀ ଓ ତମାଣ୍ଡୋ ଥାନାରେ ଗୋଟିଏ ଲେଖାଏ ଅପହରଣ ମାମଲା ରୁଜୁ କରାଯାଇଛି। ସେହିପରି ନୟାପଲ୍ଲୀ ଥାନାରେ ସର୍ବାଧିକ ୭ଟି ମାମଲାର ତଦନ୍ତ ଶେଷ କରାଯାଇଥିବାବେଳେ ଶହୀଦନଗର ଓ ଖଣ୍ଡଗିରି ଥାନାରେ ୪ଟି ଲେଖାଏ ମାମଲାର ତଦନ୍ତ ସରିଛି। ଏଥିସହ ଅପହୃତ ଓ ନିଖୋଜ ଥିବା ୨୮ଜଣ ନାବାଳିକା ନାବାଳକଙ୍କ ମଧ୍ୟରୁ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରପକ୍ଷେ ଗତ ମେ ମାସରୁ ଫେବୃୟାରୀ ଶେଷ ପର୍ଯ୍ୟନ୍ତ କିଡ୍‌ନାପିଙ୍ଗ୍‌ ଓ ମ୍ୟାନ ମିସିଂ ସେଲ୍‌ ଓ ଥାନାର ତଦନ୍ତକାରୀ ଅଫିସରଙ୍କ ମିଳିତ ଉଦ୍ୟମରେ ୩୧୦ ମାମଲାରେ ନିଖୋଜ ଥିବା ୩୨୨ଜଣ ନାବାଳିକା ନାବାଳିକଙ୍କୁ ଉଦ୍ଧାର କରାଯାଇଥିବା ତଥ୍ୟ ରହିଛି।

Share