୨୮ଲକ୍ଷ ଟଙ୍କା ନେଇ ଚମ୍ପଟ

ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ଗ୍ରାହକ ସେବାକେନ୍ଦ୍ରରେ ଠକେଇ। ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଏକ ପରିବାର। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ମୋହନଗୁଡା ଗ୍ରାମରେ। ଗାଁରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଗାଁର ହରିଶଚନ୍ଦ୍ର ରାଉତଙ୍କ ସହ ତାଙ୍କ ମା’ ସରଶ ରାଉତ ଏବଂ ୨ ସମ୍ପର୍କୀୟ ଅଲେରା ରାଉତ ଓ ଲଲିତା ରାଉତ ଲୋକଙ୍କ
୨୮ ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଯାଇଛନ୍ତି। ଏନେଇ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ଅନ୍ୟ ହିତାଧିକାରୀମାନେ ଜୟପାଟଣା ଥାନାରେ ଏତଲା ଦେଇଛନ୍ତି। ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ସହ ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଟଙ୍କାକୁ କୌଶଲ କ୍ରମେ ଫିଙ୍ଗର ସ୍କାନର ସହାୟତାରେ ଟଙ୍କା ଠକି ନେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏ ନେଇ ଜୟପାଟଣା ଥାନାରେ ଏକ ମାମଲା (ନଂ.୧୪୨/୨୩) ରୁଜୁ ହୋଇଛି। ପୋଲିସ ଅଭିଯୋଗକୁ ଭତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।