Categories: ଜାତୀୟ

୨୮ହଜାର ଲୋକରେ ଅଛନ୍ତି ଜଣେ ଡାକ୍ତର, ଦୁର୍ବିସହ ଅବସ୍ଥାରେ ବିହାରର ସ୍ବାସ୍ଥ୍ୟବିଭାଗ

ପାଟନା,୧୧।୧୧: ବିହାରରେ ସ୍ବାସ୍ଥ୍ୟବିଭାଗ ଭୁଷୁଡି ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସୂଚନାରୁ ଜଣାପଡିଛି କି, ଡାକ୍ତର ଓ ରୋଗୀଙ୍କ ଅନୁପାତ ହିସାବ କଲେ ବିହାରରେ ଜଣେ ଡାକ୍ତରଙ୍କ ଉପରେ ୨୮ହଜାର ଲୋକଙ୍କ ଭାର ରହିଛି।
ଅଧିବେଶନର ପ୍ରଶ୍ନକାଳରେ ଏନେଇ ହଟ୍ଟଗୋଳ ଲାଗିବାର ବିହାର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏନେଇ ସଫେଇ ରଖିଛନ୍ତି। ସେ କହିଛନ୍ତି, ରାଜ୍ୟର ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଚିକିତ୍ସକଙ୍କ ଭର୍ତ୍ତି କରାଯାଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଗମ୍ଭୀରତାର ସହ ଚିନ୍ତା କରୁଛି। ସରକାର ଏପରି ବ୍ୟବସ୍ଥା କରୁଛନ୍ତି କି, ରାଜ୍ୟରେ ନାଗରିକଙ୍କୁ ଚିକିତ୍ସା ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ।
ରାଜ୍ୟରେ ନିୟମିତ ଡାକ୍ତରଙ୍କ ୨୧ହଜାର ୭୫୫ପଦବୀ ମଞ୍ଜୁର ହୋଇଛି। ବର୍ତ୍ତମାନ ୧୦ହଜାର ୯୨୯ଜଣ କାର୍ଯ୍ୟ କରୁଛନ୍ତି। ଏଥିସହ ୨୮୪୯ଜଣ ଚୁକ୍ତି ଭିତ୍ତିକରେ ସେବା ଯୋଗାଉଛନ୍ତି। ପ୍ରତିବର୍ଷ ବିହାର ମେଡିକାଲ କଲେଜରେ ବହୁ ସଂଖ୍ୟକ ଛାତ୍ରୀଛାତ୍ର ଉର୍ତ୍ତୀଣ୍ଣ ହେଉଛନ୍ତି ଯେଉଁମାନଙ୍କୁ ଅତିଶୀଘ୍ର ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟବିଭାଗ ପ୍ରସ୍ତୁତି କରୁଛି ବୋଲି ତେଜସ୍ବୀ କହିଛନ୍ତି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତ୍ୟେକ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ରହିବା ଉଚିତ୍‌ କିନ୍ତୁ ବିହାରରେ ୨୮ହଜାର ଜନସଂଖ୍ୟାରେ ଜଣେ ଡାକ୍ତର ଅଛନ୍ତି। ସେହିପରି ଜାତୀୟ ହାରାହାରି ଅନୁସାରେ ୧୪୦୦ଜଣ ଲୋକରେ ଜଣେ ଡାକ୍ତର ଅଛନ୍ତି।

Share