ଭରତପୁର, ସତ୍ୟନଗର ଶ୍ମଶାନରେ ୨୮ ଅଚିହ୍ନା ମୃତଦେହ ସଂସ୍କାର ହେବ

ଭୁବନେଶ୍ୱର, ୯।୧୦ (ବନ୍ଦନା ସେଠୀ):ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ତେବେ ୪ମାସରୁ ଅଧିକ ସମୟ ବିତି ଯାଇଥିଲେ ବି ଏଯାଏ ୨୮ଟି ମୃତଦେହ ଚିହ୍ନଟ ହୋଇପାରୁ ନାହିଁ। ଏସବୁ ମୃତଦେହ ଏବେ ଏମ୍ସ ଭୁବନେଶ୍ୱର ପରିସରରେ କଣ୍ଟେନର ମଧ୍ୟରେ ସଂରକ୍ଷିତ ରଖାଯାଇଛି। ତେବେ ଦାବିଦାର ନ ଆସିବା ଓ ଡିଏନ୍‌ଏ ଟେଷ୍ଟରୁ ଏସବୁ ମୃତଦେହ ଚିହ୍ନଟ ହୋଇ ନ ପାରିବାରୁ ଶେଷରେ ଅନ୍ତିମ ସଂସ୍କାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ସାମୂହିକ ଅନ୍ତିମ ସଂସ୍କାର ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ଏବଂ ବିଏମ୍‌ସିକୁ ତଦନ୍ତକାରୀ ସଂସ୍ଥା ସିବିଆଇ ସବୁଜ ସଙ୍କେତ ଦେଇଛି। ଏଥିପାଇଁ ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲପାଳଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ ଗତ ୭ ତାରିଖ ଶନିବାର ଖୋର୍ଦ୍ଧା ଜଲାପାଳଙ୍କଠାରୁ ଚିଠି ପାଇବା ପରେ ସଂସ୍କାର ପାଇଁ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିବା ସହ ଏସ୍‌ଓପି ଜାରି କରିଛି। ଏସ୍‌ଓପି ଅନୁଯାୟୀ, ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସର ନିର୍ଦ୍ଦେଶକ ବିଏମ୍‌ସିର ହେଲ୍‌ଥ ଅଫିସରଙ୍କୁ ମୃତଦେହ ହସ୍ତାନ୍ତର କରିବେ। ମୃତଦେହଗୁଡିକୁ ଗ୍ରହଣ କରିବା ପରେ ବିଏମ୍‌ସି ହେଲ୍‌ଥ ଅଧିକାରୀ ସେଗୁଡିକର ଆବଶ୍ୟକ ରେକର୍ଡ ରଖିବେ। ହସ୍ତାନ୍ତର ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ନୀତିନିୟମ ଓ ଗାଇଡ୍‌ଲାଇନକୁ ପାଳନ କରାଯିବ। ଭରତପୁର ଓ ସତ୍ୟନଗର ଶ୍ମଶାନରେ ଏହି ଅଚିହ୍ନା ମୃତଦେହଗୁଡିକର ସଂସ୍କାର କରାଯିବ। ଏମ୍ସରୁ ଶ୍ମଶାନ ପର୍ଯ୍ୟନ୍ତ ମୃତଦେହଗୁଡିକୁ ନେବା ପାଇଁ ବିଏମ୍‌ସି ଗାଡ଼ି ବ୍ୟବସ୍ଥା କରିବ। ବିଏମ୍‌ସିର ଆସିଷ୍ଟାଣ୍ଟ୍‌ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର (ମେକାନିକାଲ)ଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ସେ ସଂସ୍କାର କାର୍ଯ୍ୟ ଠିକ ଭାବେ ସମାପନ କରିବା ପାଇଁ ଆବଶ୍ୟକ ମାନବସମ୍ବଳ ନିଯୁକ୍ତ କରିବେ। ଅପରପକ୍ଷେ ଏମ୍ସରୁ ମୃତଦେହ ହସ୍ତାନ୍ତରଠାରୁ ସଂସ୍କାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟର ଭିଡିଓଗ୍ରାଫି ହେବ ବୋଲି ଏସ୍‌ଓପିରେ ଉଲ୍ଲେଖ ରହିଛି। ସେହିପରି ଦିନେ ଦୁଇଦିନ ମଧ୍ୟରେ ମୃତଦେହଗୁଡିକର ସଂସ୍କାର କାରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜୁନ୍‌ ୨ରେ ବାଲେଶ୍ୱର ବାହାନଗା ରେଳ ଷ୍ଟେଶନ ନିକଟରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ସାଲିମାର ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌ ଲୁପ୍‌ ଲାଇନ୍‌କୁ ଯାଇ ପୂର୍ବରୁ ସେଠାରେ ଥିବା ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ସେହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ବେଙ୍ଗାଲୁରୁ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ୍‌ ମଧ୍ୟ ଦୁର୍ଘଟଣାର ସାମ୍ନା କରିଥିଲା। ଏଥିରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

Share