ସଚ୍ଚୋଟ ପଣିଆ ତାଲିକା: ସୁଇଜରଲାଣ୍ଡ୍‌ ୧ ନମ୍ବର; ୩୦ତମ ସ୍ଥାନରେ ଭାରତ

ଜୁରିକ୍‌,୨୨।୬: ପ୍ରକାଶ ପାଇଛି ବିଶ୍ୱ ସଚ୍ଚୋଟ ପଣିଆ ତାଲିକା। ଏଥିରେ ସୁଇଜରଲାଣ୍ଡ୍‌ ୧ ନମ୍ବର ସ୍ଥାନରେ ରହିଥିବାବେଳେ ଭାରତର ସ୍ଥାନ ୩୦ ରହିଛି। ରାସ୍ତାରୁ ପର୍ସ ଅବା ଅନ୍ୟ କିଛି ବସ୍ତୁ ମିଳିଲେ କେତେ ଲୋକ ଏହାକୁ ମାଲିକ ପାଖରେ ପହଞ୍ଚାଇଥାନ୍ତି ସେ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ମିସିଗାନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଉପରେ ଅଧ୍ୟୟନ କରାଯାଇ ଏହାର ରିପୋର୍ଟ ପ୍ରକାଶିତ ହୋଇଛି। ତାଲିକାରେ ଦ୍ୱିତୀୟ ସ୍ଥାନରେ ନରଓ୍ବେ ରହିଥିବାବେଳେ ତୃତୀୟରେ ନେଦରଲାଣ୍ଡ୍‌ ଏବଂ ଚତୁର୍ଥରେ ଡେନ୍‌ମାର୍କ ରହିଛି। ସେହିପରି ପଞ୍ଚମ ସ୍ଥାନରେ ସୁଇଡେନ୍‌ ରହିଛି। ତାଲିକାରେ ଚାଇନାର ସ୍ଥାନ ଶେଷ ଅର୍ଥାତ୍‌ ୪୦ରେ ରହିଛି। ଖାଲିଥିବା ପର୍ସ ଫେରାଇବାକୁ ୪୩ ପ୍ରତିଶତ ପସନ୍ଦ କରୁଥିବାବେଳେ କିଛି ଟଙ୍କା ଥିଲେ ଏହାକୁ ୫୧ ପ୍ରତିଶତ ଲୋକ ଫେରାଇଥାନ୍ତି। ସେହିପରି ଯଦି ପର୍ସରେ ଅଧିକ ଟଙ୍କା ଥାଏ ତେବେ ଏହାକୁ ୭୨ ପ୍ରତିଶତ ଲୋକ ଫେରାଉଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ସର୍ଭେ ୪୦ଟି ଦେଶର ୩ ଶହ ୫୫ ସହରରେ କରାଯାଇଥିଲା। ସର୍ଭେରେ ୧୭ ହଜାର ପର୍ସକୁ ବ୍ୟବହାର କରାଯାଇଥିଲା। ପର୍ସ ଗୁଡ଼ିକୁ ରାସ୍ତାରେ ପକାଇ ଏହାକୁ ପାଉଥିବା ଲୋକଙ୍କ ପ୍ରତିକ୍ରିୟା ଯାଞ୍ଚ୍‌ କରାଯାଇଥିଲା।

Share