Categories: ଜାତୀୟ

ଜର୍ମାନୀରେ କଷ୍ଟଡିରେ ଥିବା ୨୯ ମାସର ଶିଶୁକୁ ଉଦ୍ଧାର କରିବାକୁ ମୋଦି ସରକାରଙ୍କୁ ଗୁହାରି କଲେ ମାଆ

ନୂଆଦିଲ୍ଲୀ,୧୧।୮: ଜର୍ମାନୀରେ ଜଣେ ଭାରତୀୟ ଶିଶୁ ଆରିହା ଶାହା କଷ୍ଟଡିରେ ଥିବା ବିଷୟ ଏବେ ଖୁବ ଚର୍ଚ୍ଚାରେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଆରିହାଙ୍କୁ ଜର୍ମାନୀର ଫୋଷ୍ଟର କେୟାରରେ ଗତ ୨୨ ମାସ ହେଲା ରଖାଯାଇଛି। ବର୍ତ୍ତମାନ ଆରିହାଙ୍କ ମାତାପିତା ଏହି ପ୍ରସଙ୍ଗରେ ସହାୟତା ପାଇଁ ମୋଦି ସରକାରଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଆରିହାଙ୍କ ମା’ ଦିଲ୍ଲୀର ଜନ୍ତର ମନ୍ତ୍ରରେ ଏହାକୁ ନେଇ ପ୍ରଦର୍ଶନ କରିଛନ୍ତି। ବାଳିକା ଶିଶୁକୁ ଜର୍ମାନୀର ଭାରତୀୟ ସମ୍ପ୍ରଦାୟ ସହିତ ସ୍ବାଧୀନତା ଦିବସ ପାଳନ କରିବାକୁ ଅନୁମତି ଦେବାକୁ ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି।
ଆରିହାଙ୍କ ମା ଧରା ଶାହା କହିଛନ୍ତି, ‘ଜୁନରେ କୋର୍ଟ ଆରିହା ଶାହାଙ୍କୁ ସମ୍ପୂର୍ଣ୍ଣ ହେପାଜତକୁ ନେଇ ଜର୍ମାନ ଶିଶୁ ସେବାକୁ ହସ୍ତାନ୍ତର କରିଥିଲେ। ଏହା କୋର୍ଟଙ୍କ ଏକପାଖିଆ ନିଷ୍ପତ୍ତି ଥିଲା। ଆମକୁ କହିବାର ସୁଯୋଗ ଦିଆଯାଇ ନ ଥିଲା। ଆମକୁ ଭାରତୀୟ ଜିନିଷ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଉ ନାହାଁନ୍ତି … ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ ଆମ ନିକଟରେ କୌଣସି ସୂଚନା ନାହିଁ। ଆରିହାଙ୍କ ସୁରକ୍ଷାକୁ ନେଇ ଆମେ ବହୁତ ଚିନ୍ତିତ।’
ମା’ ଧରା ଶାହା ଆହୁରି କହିଛନ୍ତି, ଆରିହାଙ୍କ ସାଂସ୍କୃତିକ ଅଧିକାରକୁ ସୁରକ୍ଷା ଦେବା ଆବଶ୍ୟକ। ଆମେ ଚାହୁଁ ଯେ ଆରିହା ଅଗଷ୍ଟ ୧୫ପାଳନ କରନ୍ତୁ।’ ଆରିହାଙ୍କୁ ବର୍ତ୍ତମାନ ୨୯ମାସ ବୟସ। ଯେତେବେଳେ ତାଙ୍କୁ ଜେଲରେ ରଖାଯାଇଥିଲା ସେତେବେଳେ ତାଙ୍କୁ ମାତ୍ର ୭ମାସ ହୋଇଥିଲା। ଅର୍ଥାତ୍‌ ଆରିହା ୨୨ମାସ ଧରି ମାତାପିତାଙ୍କ ବିନା ଜର୍ମାନୀରେ ରହୁଛନ୍ତି।
ତେବେ ଆରିହାଙ୍କ ମାତାପିତା ଅନେକ ମାସ ଧରି ନିଜ ଶିଶୁ କନ୍ୟାକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିରାଶ ହୋଇଛନ୍ତି। ଏହି ସମୟରେ, ଜର୍ମାନୀର ପାନକୋ କୋର୍ଟ ତାଙ୍କ ମାତାପିତାଙ୍କୁ ଆରିହାଙ୍କ ହେପାଜତ ଦେବାକୁ ମନା କରିଦେଇଥିଲେ। କୋର୍ଟ କହିଛନ୍ତି ଯେ ତାଙ୍କ ମାତାପିତା ହିଁ ଆରିହାଙ୍କୁ ହଇରାଣ କରିଥିଲେ।
ଶିଶୁ ଆରିହା ଶାହା ସେପ୍ଟେମ୍ବର ୨୦୨୧ରୁ ଜର୍ମାନୀରେ ଫୋଷ୍ଟର କେୟାରରେ ରହୁଛନ୍ତି। ଏହି କାରଣରୁ, ଆରିହାଙ୍କ ମାତାପିତା ଝିଅକୁ ଭାରତ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛନ୍ତି।

Share