ଟ୍ରେନ୍‌ ଦୁର୍ଘଟଣାରେ ଗଲା ୨୯ଜଣଙ୍କ ଜୀବନ

ଇସ୍‌ଲାମାବାଦ,୩।୭: ପାକିସ୍ତାନରେ ଶୁକ୍ରବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଅଞ୍ଚଳରେ ମାନବ ବିନୀନ ଫାଟକରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ସହ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଥିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଆହତ ହୋଇଛନ୍ତି। ଅପରପକ୍ଷେ ଏହି ଦୁର୍ଘଟଣାରେ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାଁ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ମେହିକାଲ ସହାୟତା ଯୋଗାଇଦେବାକୁ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଶାହ ହୁସେନ ଯାତ୍ରୀବାହୀ ଏକ୍ସପ୍ରେସ ନାମକ ଏକ ଟ୍ରେନ୍‌ କରାଚିରୁ ଲାହୋର ଯାଉଥିଲା। ଅପରପକ୍ଷେ ଶେଖୁପୁରା ଜିଲାର ଶିଖ ଶ୍ରଦ୍ଧାଳୁମାନେ ଧାର୍ମିକ ରୀତିନୀତି ସାରି ସଚ୍ଚା ସାଉଦା ଗୁରୁଦ୍ୱାରାରୁ ଫେରୁଥିଲେ। ସେହି ସମୟରେ ମାନବ ବୀହିନ ଫାଟକ ଅତିକ୍ରମ କରୁଥିବା ବେଳେ ଉକ୍ତ ଭ୍ୟାନକୁ ଟ୍ରେନ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତକଙ୍କ ମଧ୍ୟରେ ୧୫ ଜଣ ଶିଖ୍‌ ଶ୍ରଦ୍ଧାଳୁ ରହିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚି ମୃତକଙ୍କ ମୃତଦେହ ଜବତ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ସୂଚନା ମୁତାବକ ଏହି ଘଟଣାରେ ପାକିସ୍ତାନ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ ଇଞ୍ଜିନିୟରଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ ପାକିସ୍ତାନ ରେଳ ମନ୍ତ୍ରୀ ଏହି ଟ୍ରେନ୍‌ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Share