Categories: ଜାତୀୟ

୨୯ ଶିଖ୍‌ ତୀର୍ଥଯାତ୍ରୀ ମୃତ

ଲାହୋର,୪।୭: ପାକିସ୍ତାନର ଶେଖୁପୁରା ଜିଲାରେ ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରେନ ଧକ୍କା ଦେବାରୁ ୨୯ ଜଣ ଶିଖ୍‌ ତୀର୍ଥଯାତ୍ରୀ ପ୍ରାଣ ହରାଇବା ସହ କେତେଜଣ ଆହତ ହୋଇଛନ୍ତି। ନଙ୍କନ ସାହିବ୍‌ରୁ ୨୫ ଶିଖ୍‌ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଲାହୋର ଅଭିମୁଖେ ଯାତ୍ରା କରୁଥିଲା। ରେଳ ଟ୍ରାକ୍‌ ଦେଇ ବସ୍‌ଟି ଅତିକ୍ରମ କଲାବେଳେ ଶାହ ହୁସେନ୍‌ ଏକ୍ସପ୍ରେସ ଟ୍ରେନ୍‌ ଏହାକୁ ଧକ୍କା ଦେଇଥିଲା। ଫାରୁକାବାଦ ଓ ବାହାଲିଓ୍ବାଲା ମଝିରେ ଥିବା ରେଳଧାରଣା ନିକଟରେ ଏଭଳି ଦୁର୍ଘଟଣା ହୋଇଥିବା ପାକିସ୍ତାନର ରେଲଓ୍ବେ ମୁଖପାତ୍ର ପ୍ରକାଶ କରିଛନ୍ତି। ମୋଟ ୬୦ ଜଣ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ଘଟଣାର ତଦନ୍ତ ଲାଗି ପାକ୍‌ ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଅହମଦ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାକୁଯାୟୀ, ଟ୍ରେନ୍‌ରେ ଧକ୍କା ଖାଇବା ପରେ ବସ୍‌ଟି ବହୁ ଦୂରକୁ ଛିଟିକି ପଡ଼ିବା ସହ ବିସ୍ଫୋରଣ ହୋଇଥିଲା।

Share