୨୯ରୁ ମହିଷାପାଟ ପଡ଼ିଆରେ ପଲ୍ଲିଶ୍ରୀ ମେଳା

ଢେଙ୍କାନାଳ,୧୭ା୧୦(ରତନ ନାୟାର): ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ପଡିଆଠାରେ ପଲ୍ଲିଶ୍ରୀ ମେଳା ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ। ଏହା ନଭେମ୍ବର ୭ ପର୍ଯ୍ୟନ୍ତ ଚାଲିବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ସାଢେ ୩ଟାରେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ହଲ୍‌ଠାରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ମେଳାରେ ମୋଟ ୨୦୦ ଷ୍ଟଲ ପଡ଼ିବ। ଏଥିମଧ୍ୟରେ ମିଶନଶକ୍ତି ପାଇଁ ୨୦ଟି, ହସ୍ତଶିଳ୍ପ ପାଇଁ ୧୦, ଖାଦ୍ୟ ପାଇଁ ୧୨ଟି ଷ୍ଟଲ ରଖାଯିବ। ଓଡ଼ିଶାର ବିଭିନ୍ନ ଜିଲା ସମେତ ବାହାର ରାଜ୍ୟର ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ଏହି ମେଳାରେ ହେବ। ମେଳାରେ ଦୈନିକ ୨୦ ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଅଗ୍ନି ନିବର୍ରାପକ ବ୍ୟବସ୍ଥା କଡାକଡି କରାଯିବ ବୋଲି ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଥିଲେ। ସଫେଇ କାର୍ଯ୍ୟକୁ ଠିକ୍‌ ଭାବରେ କରାଯିବ। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମ୍ଭାବ୍ୟ ଅଘଟଣକୁ ନଜରରେ ରଖି ମେଳା ପାଇଁ ୫ କୋଟି ଟଙ୍କାର ବୀମା କରାଯିବ ବୋଲି ଓସ୍‌ମାସ ଡେପୁଟି ସିଇଓ ସୌରଭମୟ ଦାସ ସୂଚନା ଦେଇଥିଲେ। ମେଳାର ପ୍ରଚାର ଓ ପ୍ରସାରଣ ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରତିଦିନ ବ୍ୟବସାୟ ସମ୍ପର୍କିତ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିବା ନିମନ୍ତେ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦିଲୀପ କୁମାର ବିଶ୍ୱାଳ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଢେଙ୍କାନାଳ ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲାପାଳ(ସାଧାରଣ) ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ।