୨୯୭ ବନ୍ୟା ଆଶ୍ରୟସ୍ଥଳୀରେ ଲାଗିବ ବିଜୁଳି ରୋଧକ ଯନ୍ତ୍ର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାକୁ ପ୍ରାୟତଃ ଭାରତର ବିପର୍ଯ୍ୟୟ ହଟସ୍ପଟ ବୋଲି କୁହାଯାଏ। ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟ ଧନଜୀବନ ହାନି କରୁଥିବାବେଳେ ବଜ୍ରପାତରେ ରାଜ୍ୟର ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ବଜ୍ରପାତରେ ବାର୍ଷିକ ହାରାହାରି ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଉଛି। ୧୯୯୯ ମହାବାତ୍ୟା ପରେ ଏଯାଏ ବଜ୍ରପାତରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକାଂଶ ଖୋଲା ପଡ଼ିଆରେ କିମ୍ବା ରାଜ୍ୟର ବିଭିନ୍ନ ସ୍ଥାନରେ ଗଛ ତଳେ ଆଶ୍ରୟ ନେଉଥିବା ସମୟରେ ବଜ୍ରପାତର ଶିକାର ହେଉଛନ୍ତି। ଏଥିରେ କୃଷକ, ବିକ୍ରେତା, ହକର୍‌, ନିର୍ମାଣ ଶ୍ରମିକ ପ୍ରାୟତଃ ପ୍ରାଣ ହରାଉଛନ୍ତି। ବଲାଙ୍ଗୀର, ବାଲେଶ୍ୱର, କଟକ, ଯାଜପୁର, ଗଞ୍ଜାମ, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର ଓ ସୁନ୍ଦରଗଡ ଜିଲାରେ ସର୍ବାଧିକ ବଜ୍ରପାତଜନିତ ମୃତ୍ୟୁ ହେଉଛି। ଏହିକ୍ରମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥରିଟି (ଓଏସ୍‌ଡିଏମ୍‌ଏ) ପକ୍ଷରୁ ଏହି ୧୦ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ରାଜ୍ୟର ୨୯୭ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ବିଜୁଳି ରୋଧକ ଯନ୍ତ୍ର ଲଗାଯିବାକୁ ନିଷ୍ପତ୍ତି ହୋଇଛି।
ସଚେତନତା କାର୍ଯ୍ୟକ୍ରମରେ ଷ୍ଟ୍ରିଟ୍‌ ପ୍ଲେ, ୱାଲ୍‌ ପେଣ୍ଟିଂ, ସ୍କୁଲ ଓ କଲେଜସ୍ତରରେ ସଚେତନତା, ଏସ୍‌ଏଚ୍‌ଜି ସଭ୍ୟା, କୃଷକ, ଯୁବକ ସଂଘ, ଏନ୍‌ଜିଓ ପ୍ରମୁଖଙ୍କୁ ନେଇ ବୈଠକ କରି ସଚେତନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପ୍ରତ୍ୟେକ ଜିଲାକୁ ୪ ଲକ୍ଷ ୯୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ରିପୋର୍ଟ ଅନୁସାରେ ଓଏସ୍‌ଡିଏମ୍‌ଏ ପକ୍ଷରୁ ରାଜ୍ୟରେ ୮୧୬ଟି ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ରହିଥିବାବେଳେ ରେଡକ୍ରସ ସୋସାଇଟି ପକ୍ଷରୁ ୫୫ଟି ନୂତନ ଆଶ୍ରୟସ୍ଥଳୀ ନିର୍ମାଣାଧୀନ ରହିଛି। ପୂର୍ବରୁ ୬୪୦ଟି ଆଶ୍ରୟସ୍ଥଳୀରେ ବିଜୁଳି ରୋଧକ ଯନ୍ତ୍ର ଲଗାଯାଇଛି। ଏବେ ପୁଣି ୨୯୭ଟି ଆଶ୍ରୟସ୍ଥଳୀରେ ବିଜୁଳି ରୋଧକ ଯନ୍ତ୍ର ଲଗାଯିବ। ଏଥିପାଇଁ ୮ କୋଟି ୧୬ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ବଜ୍ରପାତରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତାବିତ ସଚେତନତା ସୃଷ୍ଟି ସଂକ୍ରାନ୍ତରେ ଓଏସ୍‌ଡିଏମ୍‌ଏ ପକ୍ଷରୁ ନିର୍ବାହୀ ନିର୍ଦ୍ଦେଶକ ସସ୍ମିତା ବେହେରା ଉପରୋକ୍ତ ୧୦ଟି ଜିଲାର ଜିଲାପାଳଙ୍କୁ ୨୬ା୭ା୨୦୨୩ରେ ନିର୍ଦ୍ଦେଶ ଜାରି କରିଛନ୍ତି।

Share