Categories: ଖେଳ

ସମ୍ବିତଙ୍କୁ ଦ୍ୱିତୀୟ ଆଇଏମ୍‌ ନର୍ମ

ଭୁବନେଶ୍ୱର, ୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଚେସ୍‌ ତାରକା ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ ଦିଗରେ ଆଉ ଏକପାଦ ଆଗକୁ ବଢ଼ିଛନ୍ତି। ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଦୁବାଇ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସେ ଦ୍ୱିତୀୟ ଆଇଏମ୍‌ ନର୍ମ ହାସଲ କରିଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୪ ବିଜୟ, ୪ଡ୍ର ଓ ୧ ପରାଜୟ ସହ ୬ ପଏଣ୍ଟ ପାଇଛନ୍ତି। ୪ର୍ଥ ରାଉଣ୍ଡରେ ଇଜିପ୍ଟ ଗ୍ରାଣ୍ଡମାଷ୍ଟର ଆଡ୍‌ଲି ଅହମଦଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଥିବା ସମ୍ବିତ ୮ମ ରାଉଣ୍ଡରେ ଆର୍ଜେଣ୍ଟିନା ଗ୍ରାଣ୍ଡମାଷ୍ଟର ସାଣ୍ଡ୍ରୋ ମାରେକୋ ଏବଂ ୯ମ ରାଉଣ୍ଡରେ ଗ୍ରାଣ୍ଡମାଷ୍ଟର ତେଜାସ କୁମାର ଏମ୍‌ଏସ୍‌ଙ୍କୁ ହରାଇ ଉଲ୍ଲେଖନୀୟ ସଫଳତା ପାଇଥିଲେ। ଟୁର୍ନାମେଣ୍ଟ ଶେଷରେ ସେ ୩୦ତମ ସ୍ଥାନରେ ରହିଥିବାବେଳେ ତାଙ୍କୁ ଅନ୍ତର୍ଜାତୀୟ ମାଷ୍ଟର ନର୍ମ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ସେ ୨୩୦୦ରୁ ୨୪୦୦ ରେଟିଂ ବର୍ଗରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ମାଷ୍ଟର ନର୍ମ ସେ କାନପୁରରେ ଅନୁଷ୍ଠିତ ଜାତୀୟ ସିନିୟର ଓପନ ଟୁର୍ନାମେଣ୍ଟରେ ହାସଲ କରିଥିଲେ। ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ ହାସଲ କରିବାକୁ ହେଲେ ତାଙ୍କୁ ଆଉ ଏକ ନର୍ମ ହାସଲ କରିବାକୁ ପଡ଼ିବ। ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ସହ ଅନ୍ୟ ସମସ୍ତ ସଦସ୍ୟ ଏବଂ ସର୍ବଭାରତୀୟ ଚେସ୍‌ ଫେଡେରେଶନ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ପ୍ରମୁଖ ସମ୍ବିତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Share