Categories: ଖେଳ

ଦ୍ୱିତୀୟ କଳିଙ୍ଗ ଜିମ୍ନାଷ୍ଟିକ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର, ୧୯ା୬(ତପନ ସ୍ବାଇଁ): ଓଡ଼ିଶାର ଅଗ୍ରଣୀ ଜେଏମ୍‌ ସ୍ପୋର୍ଟସ ଜିମ୍ନାଷ୍ଟିକ ଏକାଡେମୀ ଓ ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘର ମିଳିତ ସହଯୋଗରେ ଆୟୋଜିତ ଦ୍ୱିତୀୟ କଳିଙ୍ଗ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ତଥା ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ ଉପସ୍ଥିତ ରହି ତୃଣମୂଳ ସ୍ତରରେ ଜେଏମ୍‌ ସ୍ପୋର୍ଟସର ନିଷ୍ଠା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ। କୁନି କୁନି ଖେଳାଳିଙ୍କୁ ପୁରସ୍କାର ଦେବା ସହିତ ସଫଳ ହେବାର ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ଜିମ୍ନାଷ୍ଟିକ ମହାସଂଘ ସମ୍ପାଦକ ଅଶୋକ ସାହୁ ଉପସ୍ଥିତ ଥିଲେ। ଜେଏମ୍‌ ସ୍ପୋର୍ଟସର ଅତିସ ରାଉତ ସ୍ବାଗତ ଭାଷଣ ଦେଇ ଉଦ୍‌ଯାପନୀ ଦିବସର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସମ୍ପାଦକ ଯଶୋବନ୍ତ ଦାସ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଜେଏମ୍‌ ସ୍ପୋର୍ଟସ ଏକାଡେମୀ ଅଧ୍ୟକ୍ଷା ମୀରାରାଣୀ ଦାସ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ। ବେଙ୍ଗଲ ଦଳ ଉଭୟ ବାଳକ ଓ ବାଳିକା ବିଭାଗରେ ଚାମ୍ପିୟନ, ମହାରାଷ୍ଟ୍ର ରନର ଅପ୍‌ ଓ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିଲା। ୧୪ ମେଡାଲ ସହିତ ୮ ବର୍ଷରୁ କମ୍‌ ବାଳକ ବର୍ଗରେ ଓଡ଼ିଶା ଚାମ୍ପିୟନ ରହିଥିଲା। ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତା ପରିଚାଳନା କରିଥିବା ଅନ୍ତର୍ଜାତୀୟ ଓ ଜାତୀୟ ଅଫିସିଆଲମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ସେହିପରି ଏହି ୩ ଦିନିଆ ଜାତୀୟ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ମମିନା ବାନୋ, ଜ୍ୟୋତିର୍ମୟୀ ମନ୍ତ୍ରୀ, ଦୀପରିଖା ଦେ, ଦୀପ୍ତିମୟୀ ନାୟକ, କଳ୍ପନା ନାୟକ, ସୁନିତା ସାହୁ, ଅନ୍ନପୂର୍ଣ୍ଣ ମହାନ୍ତି, ସନ୍ଧ୍ୟା ମିଶ୍ର ଓ ମନସ୍ବିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଜିମ୍ନାଷ୍ଟ ବିଘ୍ନେଶ ଦାସ ଓ ସୁବ୍ରତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share