ବ୍ରହ୍ମପୁର ଅଫିସ,୧୫।୫: ଜାତୀୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶାନୁସାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଂଯୋଜନାରେ ଗଞ୍ଜାମ ଜିଲା ଅଦାଲତଗୁଡ଼ିକରେ ଚଳିତ ବର୍ଷର ଦ୍ୱିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୪୫ ମୋଟରଯାନ ଦୁର୍ଘଟଣା ମାମଲାର ବିଚାର କରାଯାଇ ବୀମା କମ୍ପାନୀଗୁଡିକୁ ୨ କୋଟି ୨ ଲକ୍ଷ ୯୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗଞ୍ଜାମ ଜିଲା ଜଜ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଜିଲା ଆଇନସେବା ପ୍ରାଧିକରଣ ସଚିବ କୈଳାସ ସାହୁଙ୍କ ପରିଚାଳନାରେ ମୋଟ ୪ ଲୋକ ଅଦାଲତ ବେଞ୍ଚ ବସିଥିଲା। ପ୍ରତ୍ୟେକ ବେଞ୍ଚରେ ବିଚାର ବିଭାଗୀୟ ଅଧିକାରୀ ଓ ୨ ଜଣ ସଭ୍ୟ ଥିଲେ। ପରିବାର ଅଦାଲତରେ ୭୦ ମାମଲାର ଶୁଣାଣି କରାଯାଇଥିବା ବେଳେ ସେମାନଙ୍କର ବୈବାହିକ କଳହର ଅନ୍ତଃ ଘଟାଇ ଖୁସିରେ ଜୀବନଯାପନ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ୧୮ ଚେକ୍ ବାଉନ୍ସ ମାମଲାର ବିଚାର କରାଯାଇ ୯୦ ଲକ୍ଷ ୨୪ ହଜାର ୮୮୫ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସେହିପରି ୩୮୨ ଫୌଜଦାରି ମକଦ୍ଦମା ସମାଧାନ କରାଯାଇଥିଲା। ଏଥିରେ ଦ୍ୱିତୀୟ ଏମ୍ଏସିଟି ଜଜ୍ ବିକ୍ରମ ପଟ୍ଟନାୟକ, ପ୍ରଥମ ଅତିରିକ୍ତ ଜିଲା ଜଜ୍ ସଂଘମିତ୍ରା ଶର୍ମା, ତୃତୀୟ ଅତିରିକ୍ତ ଜିଲା ଜଜ୍ ଅଳ୍ପନା ସ୍ବାଇଁ ମୋଟର ଦୁର୍ଘଟଣାଜନିତ ମକଦ୍ଦମାର ସମାଧାନରେ ଅଂଶଗ୍ରହଣ କରିଥିଲେ। ସିଭିଲ କୋର୍ଟ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଜିଲା କୋର୍ଟ ସମେତ ଜିଲାର ଅନ୍ୟାନ୍ୟ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।