ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ସରିଲା

ଭୁବନେଶ୍ୱର, ୨୯।୮(ଅସମାପିକା ସାହୁ):ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦ୍ୱିତୀୟ ପର୍ଯ୍ୟାୟ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ରାତି ୮ଟା ସୁଦ୍ଧା ୬୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡ଼ିଛି। ଗତ ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୪ ପୂର୍ବାହ୍ନ ୧୧ଟା ୩୦ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୫ ତାରିଖ ସକାଳ ୯ଟାରୁ ୭ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ୧୨ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ସ୍ପଟ୍‌ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୧ ରୁ ୧୪ ତାରିଖ ସନ୍ଧ୍ୟା ଭିତରେ ନାମଲେଖାଇବେ।
ସୂଚନାଯୋଗ୍ୟ, ରାଜ୍ୟର ୨,୧୯୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପାଇଁ ମୋଟ ୫,୧୯,୧୭୭ ସିଟ୍‌ ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୩,୭୮,୯୨୦ଟି ସିଟ୍‌ ପୂରଣ ହୋଇଥିବାବେଳେ ୧,୪୦,୨୫୭ଟି ସିଟ୍‌ ଖାଲି ପଡ଼ିଛି। ଏଥିରୁ କଳା ବିଭାଗରେ ୫୧,୭୦୫ ସିଟ୍‌ ବଳକା ପଡ଼ିଥିବାବେଳେ ବିଜ୍ଞାନରେ ୫୯,୪୦୮, ବାଣିଜ୍ୟରେ ୧୬,୭୭୬, ସଂସ୍କୃତରେ ୬,୫୨୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୮୪୩ଟି ସିଟ୍‌ ଖାଲିପଡିଛି। ଏପରିସ୍ଥିତିରେ ଗତ ୧ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି। କିନ୍ତୁ ସିଟ୍‌ ପୂରଣ ହୋଇ ନ ଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା।

Share