ଭୁବନେଶ୍ୱର, ୨।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ର ଲ୍ୟାବ ମଧ୍ୟକୁ ପ୍ରବେଶ କରିଥିଲେ। ପ୍ରଥମ ସିଟିଂ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ୧୦ ତାରିଖ ମଧ୍ୟରେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବା ପାଇଁ ପୂର୍ବରୁ ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ସୁବିଧା ଅନୁସାରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା କରିବେ। ପ୍ରାକ୍ଟିକାଲ ପରୀକ୍ଷା ଶେଷ ହେବା ପରେ ୧୭ ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ମାର୍କ ସିଏଚ୍ଏସ୍ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ କୁହାଯାଇଛି। ଏହାପରେ ଅର୍ଥାତ୍ ମାର୍ଚ୍ଚ ୧ରୁ ଯୁକ୍ତ୨ ଲିଖିତ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହେବ।