ଭୁବନେଶ୍ୱର, ୧।୧୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହେବ। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଥିଓରୀ ପରୀକ୍ଷା ଫେବୃୟାରୀ ୧୬ରୁ ଆରମ୍ଭ ହେବାର ସମ୍ଭାବନା ରହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ରାଜ୍ୟରେ ମୋଟ ୨,୦୬୫ଟି ଉଚ୍ଚ ମାଧ୍ୟମିକ ସ୍କୁଲ ମଧ୍ୟରୁ ୧,୫୬୦ଟି ଜେନେରାଲ କଲେଜ ଓ ଅବଶିଷ୍ଟ ଯୁକ୍ତ୨ ସଂସ୍କୃତ କଲେଜ ରହିଛି। ପରୀକ୍ଷା ସରିବା ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ତେବେ ଯଦି ଆବଶ୍ୟକ ପଡ଼େ ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ରେଜଲ୍ଟ ପ୍ରକାଶ କରାଯିବ। ମାତ୍ର ଆସନ୍ତା ସାଧାରଣ ନିର୍ବାଚନ ପ୍ରକ୍ରିୟାକୁ ନଜର ଦେଇ ଏପରି ଶୀଘ୍ର ପରୀକ୍ଷା କରାଯାଉଛି। ନିର୍ବାଚନ ଲାଗି ରାଜ୍ୟର ଅନେକ କଲେଜରେ ବ୍ୟବସ୍ଥା କରାଯିବା ସହ ଅନେକ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ୱରେ ସାମିଲ କରାଯିବ। ତେଣୁ ନିର୍ବାଚନ ପୂର୍ବରୁ ଯୁକ୍ତ୨ ପରୀକ୍ଷା ଶେଷ କରିବା ସହ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ଗୁରୁତ୍ୱ ଦେଉଥିବା ଜଣାପାଡ଼ିଛି।