Categories: ଖେଳ

ଜାତୀୟ କ୍ରୀଡ଼ା ପଦକ ବିଜେତାଙ୍କୁ ୩.୧୬ କୋଟି

ଭୁବନେଶ୍ୱର,୨୬।୧୦(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ୩୬ ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଆଥଲେଟ ମାନଙ୍କୁ ପୁରସ୍କୃତ କରିଛନ୍ତି ଓଡ଼ିଶା ସରକାର। କ୍ରୀଡା ଓ ଯୁବସେବା ବ୍ୟାପାର ପକ୍ଷରୁ ଆଥଲେଟ ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ପ୍ରମୋଶନ କାଉନସିଲ୍‌ ଚେୟାରମ୍ୟାନ ଦିଲୀପ ତୀର୍କି ଓ କ୍ରୀଡା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ଉପସ୍ଥିତ ରହିଥିଲେ। ସର୍ଭିସେସର ପ୍ରତିନିଧିତ୍ୱ କରି ପଦକ ହାସଲ କରିଥିବା ଦୀନେଶ କୁମାର (ସାଇକ୍ଲିଙ୍ଗ, ୩ ସ୍ବର୍ଣ୍ଣ) ଓ ମୁନା ନାୟକ (ଭାରୋତ୍ତୋଳନ, ୧ ରୌପ୍ୟ)ଙ୍କୁ ମଧ୍ୟ ସମ୍ମାନିତ କରାଯାଇ୍‌ଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ କ୍ରୀଡାରେ ସ୍ବର୍ଣ୍ଣ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ୧୦୦ ଜଣ ଆଥଲେଟଙ୍କୁ ୩.୧୬ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।
ରାଜ୍ୟର ଯୁବ ଆଥଲେଟ ମାନଙ୍କୁ ସମ୍ମାନିତ କରିବା ଅବସରରେ ମୁଁ ନିଜକୁ ଅତ୍ୟନ୍ତ ଗୌରବାନ୍ବିତ ମନେ କରୁଛି ବୋଲି ତୁଷାରକାନ୍ତି ବେହେରା ପ୍ରକାଶ କରିଥିଲେ। କ୍ରୀଡାବିତଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାତୀୟ କ୍ରୀଡାରେ ରାଜ୍ୟକୁ ସଫଳତା ପ୍ରଦାନ କରିଛି ବୋଲି ସେ କହିଥିଲେ। ଏହି ଖେଳାଳି ମାନଙ୍କୁ ଆଗକୁ ଆହୁରି ସଫଳତା ପାଇଁ ଓଡ଼ିଶା ସରକାର ସର୍ବଦା ତତ୍ପର ବୋଲି ସେ କହିଥିଲେ। ସେହିପରି ପଦକ ବିଜତା ଆଥଲେଟ ମାନେ ରାଜ୍ୟ ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ହକି ପ୍ରମୋଶନ କାଉନସିଲ୍‌ ଚେୟାରମ୍ୟାନ ଦିଲୀପ ତୀର୍କି ଖେଳାଳି ମାନଙ୍କ ସହିତ ଆଲୋଚନା କରିଥିଲେ। କାୟାକିଙ୍ଗ ଆଣ୍ଡ କାନୋୟିଙ୍ଗ ଓ ନୌଚାଳନାରୁ ଓଡ଼ିଶା ସର୍ବାଧିକ ପଦକ ହାସଲ କରିଛି। ସ୍ବର୍ଣ୍ଣ ବିଜୟିନୀ ମହିଳା ରଗବୀ ଦଳକୁ ୬୦ ଲକ୍ଷ ଏବଂ ରୌପ୍ୟ ବିଜୟିନୀ ମହିଳା ଖୋ ଖୋ ଦଳକୁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Share