ଅଟୋ ଶିଳ୍ପରେ ଚାକିରି ହରାଇଛନ୍ତି ୩.୪୫ ଲକ୍ଷ

ନୂଆଦିଲ୍ଲୀ: କରୋନା ମହାମାରୀକୁ ରୋକିବା ଲାଗି ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଥିଲେ। ଏହାଦ୍ୱାରା ଦେଶର ଅଟୋମୋବାଇଲ ଶିଳ୍ପରେ ୩.୪୫ ଲକ୍ଷ ନିଯୁକ୍ତି ହରାଇଛନ୍ତି। ସେହିଭଳି ଲକ୍‌ଡାଉନରେ ଅଟୋ କମ୍ପାନୀଗୁଡିକର ଦୈନିକ କ୍ଷତି ୨୩୦୦ କୋଟି ଟଙ୍କା ରହିଥିବା ପାର୍ଲାମେଣ୍ଟ କମିଟି ରିପୋର୍ଟରୁ ସାମ୍ନାକୁ ଆସିଛି। ସଂସଦୀୟ କମିଟି ଏହି ରିପୋର୍ଟକୁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କୁ ପ୍ରଦାନ କରିଛି। ତେଲଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) ଏମ୍‌ପି କେଶବ ରାଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଥିଲା। ଅଟୋମୋବାଇଲ ଶିଳ୍ପରେ ସୁଧାର ଆଣିବା ଲାଗି କମିଟି କେତେକ ପ୍ରସ୍ତାବ ରଖିଛି। ଜମି ଏବଂ ଶ୍ରମ ଆଇନ ସଂଶୋଧନ ଭଳି ପ୍ରସ୍ତାବ ଏହା ମଧ୍ୟରେ ସାମିଲ ହୋଇଛି। ଚାହିଦା ଏବଂ କମ୍ପାନୀଗୁଡିକର ଗାଡି ବିକ୍ରି କମିବା ଯୋଗୁ ଓରିଜିନାଲ ଇକ୍ୱିପମେଣ୍ଟ ନିର୍ମାତା(ଓଇଏମ୍‌)ଗୁଡିକ ୧୮ରୁ ୨୦% ଉତ୍ପାଦନ ହ୍ରାସ କରିଥିଲେ। ଏହି କାରଣ ଯୋଗୁ ଅନେକଙ୍କୁ ଚାକିରି ହରାଇବାକୁ ପଡିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମଧ୍ୟ ପ୍ରଭାବିତ ହୋଇ ରହିଛି। ସମସ୍ୟା ଯୋଗୁ ୨୮୬ ଅଟୋମୋବାଇଲ ଡିଲରଶିପ ବନ୍ଦ ହୋଇଯାଇଛି। ଅଟୋ ସେକ୍ଟରର ଉତ୍ପାଦନ କମିବା ଯୋଗୁ ଅଟୋ ଯନ୍ତ୍ରାଂଶ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଅଟୋ ପାର୍ଟସ ପ୍ରସ୍ତୁତ କରୁଥିବା ଏମ୍‌ଏସ୍‌ଏମ୍‌ଇ ସଙ୍କଟ ମଧ୍ୟକୁ ଚାଲିଯାଇଛନ୍ତି। ଉତ୍ପାଦନ କମିବା ଯୋଗୁ କମ୍ପାନୀଙ୍କୁ ଦୈନିକ ୨୩୦୦ କୋଟି କ୍ଷତି ସହିବାକୁ ପଡିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଆଗାମୀ ୨ ବର୍ଷ ଯାଏ ଅଟୋ ମୋବାଇଲ ଶିଳ୍ପ ପ୍ରଭାବିତ ହୋଇ ରହିବା ନେଇ ଅନୁମାନ କରାଯାଇଛି। ଫଳରେ ଏହି କ୍ଷେତ୍ର ଭାଲ୍ୟୁ ଚେନ୍‌ ଉପଯୋଗ କ୍ଷମତା କମିବ। ଏହାବାଦ କ୍ୟାପେକ୍ସ ନିବେଶ କମିବ। ସେହିଭଳି ଦେବାଳିଆ ଘଟଣା ବଢିବା ସହ ନିଯୁକ୍ତି ହ୍ରାସ ଧାରା ଜାରି ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଅଟୋ ଶିଳ୍ପର ଚାହିଦା ବଢାଇବା ଲାଗି ଜିଏସ୍‌ଟି କମାଇବା ଏବଂ ଋଣ ପ୍ରଦାନରେ ବିଭିନ୍ନ କୋହଳ ନୀତି ଆପଣାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Share