Categories: ଜାତୀୟ

ଅତି ଧନୀ ତାଲିକାରୁ ବିଶ୍ୱର ୩.୫ ନିୟୁତ ବାଦ୍‌

ନୂଆଦିଲ୍ଲୀ,୧୯।୮: ୨୦୨୨ରେ ବିଶ୍ୱର ୩.୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ କୋଟିପତି ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୧.୮ ଲକ୍ଷ ଖସି ୨୨.୭ କୋଟିକୁ ଖସି ଆସିଛି। ବିଶ୍ୱସ୍ତରରେ ୨୦୦୮ରୁ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି ବୋଲି ୟୁନିୟନ ବ୍ୟାଙ୍କ ଅଫ୍‌ ସୁଇଜରଲ୍ୟାଣ୍ଡ(ୟୁବିଏସ୍‌) ପକ୍ଷରୁ ଜାରି କରାଯାଇଥିବା ବାର୍ଷିକ ବିତ୍ତୀୟ ରିପୋର୍ଟରେ ଦର୍ଶାଯାଇଛି। ୧ ମିଲିୟନ ଡଲାର ବା ତା’ ଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା ୨୦୨୧ ଶେଷ ସୁଦ୍ଧା ୬୨.୯ ମିଲିୟନକୁ ଖସି ଆସିଥିଲା। ଏହା ପୁଣି ୨୦୨୨ ଶେଷ ସୁଦ୍ଧା ୫୯.୪ ମିଲିୟନକୁ ଖସି ଆସିଥିଲା। ଉଚ୍ଚ ମୁଦ୍ରାସ୍ଫୀତି ଓ ବିଶ୍ୱସ୍ତରରେ ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ବିଶ୍ୱର ସମ୍ପତ୍ତି ପରିମାଣ କମିଛି ବୋଲି ସୁଇସ୍‌ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଯଦିଓ ଗତବର୍ଷ କୋଟିପତିଙ୍କ ସଂଖ୍ୟାରେ ହ୍ରାସ ଘଟିଥିଲା, ତେବେ ଗତ ଶତାଦ୍ଦୀ ତୁଳନାରେ କୋଟିପତିଙ୍କ ସଂଖ୍ୟା ୪ ଗୁଣ ଅଧିକ ଥିଲା। ଗତବର୍ଷ ଆମେରିକାରେ ୧.୮ ଲକ୍ଷ କୋଟିପତିଙ୍କ ସମ୍ପତ୍ତି ପରିମାଣ କମିଥିଲା। ଏହା ବିଶ୍ୱର ଅନ୍ୟ ଦେଶ ତୁଳନାରେ ସର୍ବାଗ୍ରେ ରହିଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା ଚାଇନାର କୋଟିପତିଙ୍କ ସମ୍ପତ୍ତି ପରିମାଣ ୬.୨ ମିଲିୟନକୁ ଖସିଥିଲା। ସେହିପରି ଆର୍ଥିକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ୟୁକେରେ ଥିବା କୋଟିପତିଙ୍କ ସମ୍ପତ୍ତି ପରିମାଣ ୨.୬ % ପ୍ରତିଶତ ଖସିଥିଲା। ଜାପାନରେ କୋଟିପତିଙ୍କ ସଂଖ୍ୟା ୩.୨ରୁ ହ୍ରାସ ପାଇ ୨.୬ ମିଲିୟନକୁ ଖସିଛି। ବିଶ୍ୱର ଆର୍ଥିକ ବ୍ୟବସ୍ଥା ପୁଣିଥରେ ଟ୍ରାକ୍‌କୁ ଫେରିବା ନେଇ ମଧ୍ୟ ଆଶା କରାଯାଉଛି। ୨୫୦ ବର୍ଷ ମଧ୍ୟରେ ଚତୁର୍ଥ ଶିଳ୍ପ ବିପ୍ଳବ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲା। ଯଦିଓ ଅଧିକାଂଶ ଦେଶରେ କୋଟିପତିଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ତେବେ ଏହି ଧାରା ଆଗକୁ ସୁଧୁରିବାର ଆଶା କରାଯାଉଛି। କାରଣ ରୁଷିଆ, ମେକ୍ସିକୋ, ଭାରତ ଏବଂ ବ୍ରାଜିଲରେ ଲୋକଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଗାମୀ ଦିନରେ ବିଶ୍ୱରେ କୋଟିପତିଙ୍କ ସଂଖ୍ୟା ପୁନର୍ବାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବ୍ୟକ୍ତିଗତ ଆୟକୁ ଆଧାରକରି ବୈଶ୍ୱିକ ସମ୍ପତ୍ତି ପରିମାଣ ଆକଳନ କରାଯାଇଥାଏ। ଏହା ୨୦୨୨ରେ ୩ % ବୃଦ୍ଧି ଘଟିଛି।
ଏହି ରିପୋର୍ଟ ଏକଥା ମଧ୍ୟ ଦର୍ଶାଯାଇଛି, ଆଗାମୀ ୫ ବର୍ଷରେ ବିଶ୍ୱର ସମ୍ପତ୍ତି ପରିମାଣ ୩୮% ବୃଦ୍ଧି ପାଇ ୨୦୨୮ ସୁଦ୍ଧା ୬୨୯ ଟ୍ରିଲିୟନ ଡଲାରରେ ପହଞ୍ଚିବ। ଆଗାମୀ ବର୍ଷ ଗୁଡ଼ିକରେ ମଧ୍ୟ ଆୟ ବର୍ଗ ତାଲିକାରେ ଥିବା ଦେଶ ଗୁଡ଼ିକର ସମ୍ପତ୍ତି ପରିମାଣ ମଧ୍ୟ ବୃଦ୍ଧି ଘଟିବ। ୟୁବିଏସ୍‌ ରିପୋର୍ଟ ଅନୁସାରେ ୨୦୨୭ ସୁଦ୍ଧା କୋଟିପତିଙ୍କ ସଂଖା ୮୬ ଲକ୍ଷରେ ପହଞ୍ଚିବ।

Share