ଚାକିରି ଆଳରେ ଠିକାଦାରଙ୍କୁ ୩.୬୦ ଲକ୍ଷ ଠକେଇ

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ହନିଟ୍ରାପ୍‌ କୁଇନ୍‌ ଇରାନୀଙ୍କ ଗ୍ୟାଙ୍ଗ୍‌ ବିଷୟରେ ତମାଣ୍ଡୋ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଇରାନୀ କେବଳ ପ୍ରେମ ଜାଲରେ ଫସାଉ ନ ଥିଲେ, ସେ ଚାକିରି ଆଳରେ ମଧ୍ୟ ଏକାଧିକ ଲୋକଙ୍କୁ ଠକିଛନ୍ତି। ଶୁକ୍ରବାର ସ୍ଥାନୀୟ ଅଞ୍ଚଳର ଠିକାଦାର ସୌଭାଗ୍ୟ କେତନ ଜେନା ତମାଣ୍ଡୋ ଥାନାରେ ଇରାନୀ ଏବଂ ତାଙ୍କ ସ୍ବାମୀ ଶଶିକାନ୍ତ ଓରଫ ବାପିଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି। ସୌଭାଗ୍ୟଙ୍କ ସହ ସମ୍ପର୍କ ହେବା ପରେ ଇରାନୀ ତାଙ୍କୁ ମାୟାଜାଲରେ ଫସାଇଥିଲେ। ସୌଭାଗ୍ୟଙ୍କ ସ୍ତ୍ରୀଙ୍କୁ ଭୁବନେଶ୍ୱର ଏମ୍‌ସରେ ପେସେଣ୍ଟ ସର୍ଭିସ୍‌ ପଦବୀରେ ଚାକିରି କରାଇଦେବାକୁ କହିଥିଲେ। ଏଥିପାଇଁ ୨ ବର୍ଷ ତଳେ ଇରାନୀ ତାଙ୍କ ପାଖରୁ ମୋଟ୍‌ ୩ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଫୋନପେରେ ୧ ଲକ୍ଷ ୬୦ ହଜାର ଏବଂ ନଗଦ ଆକାରରେ ୨ ଲକ୍ଷ ଥିଲା। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ବଡ଼ ଅଧିକାରୀଙ୍କ ସହ ସମ୍ପର୍କ ଥିବା ତାଙ୍କୁ କହିଥିଲେ। ଏହି ଚାକିରି ମାସେ ମଧ୍ୟରେ କରାଇଦେବାକୁ କହିଥିଲେ ମଧ୍ୟ ଦିନ ଗଡ଼ାଇ ଚାଲିଥିଲେ। ସୌଭାଗ୍ୟ ଟଙ୍କା ମାଗିବାରୁ ଇରାନୀ ଏବଂ ତାଙ୍କ ସ୍ବାମୀ ତାଙ୍କୁ ଧମକ ଓ ଗାଳିଗୁଲଜ ଦେଉଥିଲେ। ଏପରିକି ମିଛ ବଳାତ୍କାର ମାମଲାରେ ଫସାଇଦେବାକୁ ଇରାନୀ ତାଙ୍କୁ ଧମକାଇଥିଲେ। ତେବେ ଇରାନୀ ଏଭଳି ଚାକିରି ଆଳରେ ଏକାଧିକ ଲୋକଙ୍କୁ ଫସାଇଥିବା ପୋଲିସ ସନ୍ଦେହ କରୁଛି। ସୌଭାଗ୍ୟଙ୍କ ଏତଲାକୁ ଆଧାରକରି ପୋଲିସ ଏକ ମାମଲା ରୁଜୁ କରିଛି। ଇରାନାଙ୍କ ଗ୍ୟାଙ୍ଗ ବିରୋଧରେ ମାମଲା ସଂଖ୍ୟା ୪ରେ ପହଞ୍ଚିଛି। ସେପଟେ ଲୋକ ଲଜ୍ଜା ଭୟରେ ଇରାନୀଙ୍କ ଦ୍ୱାରା ଲୁଟ୍‌ ଓ ଠକେଇର ଶିକାର ହୋଇଥିବା ଅନେକ ଲୋକ ଅଭିଯୋଗ କରୁ ନ ଥିବା ଜଣାପଡ଼ିଛି। ଇରାନୀ ସୋସିଆଲ ମିଡିଆରେ ବଡ଼ବଡ଼ିଆଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ସେ ତମାଣ୍ଡୋ ନାରଗୋଦା ଅଞ୍ଚଳରେ ଏକ ଡୁପ୍ଲେକ୍ସ ଘରକୁ ଭଡ଼ା ନେଇ ସମସ୍ତଙ୍କୁ ଡାକି ଗୃହବନ୍ଦୀ କରି ଫସାଉଥିଲେ। ଡିନର୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ଘରକୁ ଆସିବା ପରେ ସ୍ବାମୀ ଓ ସହଯୋଗୀମାନେ ତାଙ୍କୁ ଘେରି ମାଡ଼ ମାରୁଥିଲେ। ଟଙ୍କା ଦେବା ପାଇଁ ମନା କଲେ ଇରାନୀ ତାଙ୍କୁ ବଳାତ୍କାର ମାମଲାରେ ଫସାଇ ଦେବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲେ। ତେବେ ଇରାନୀଙ୍କ ଜବତ ୨ ମୋବାଇଲକୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପୋଲିସ ପଠାଇଛି। ସେଥିରେ ମେସେଞ୍ଜର, ହ୍ବାଟସଆପ୍‌ ଚାଟ୍‌ ଓ ସିଡିଆର୍‌ ଆଦିର ତଥ୍ୟ ହାସଲ ଚାଲିଛି। ଏହି ତଥ୍ୟରୁ ବହୁ ଗୁମର ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି। ସେପଟେ ଶନିବାର ସ୍ବାମୀ ନିଶାକାନ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ଏହାପରେ ଇରାନୀଙ୍କୁ ମଧ୍ୟ ରିମାଣ୍ଡରେ ଆଣି ଜେରା କରି ହନିଟ୍ରାପ୍‌ ମାୟାଜାଲ ବିଷୟରେ ବହୁ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି।

Share