ଦିନକରେ ୩.୭ କୋଟି ସଂକ୍ରମିତ

ବେଜିଂ,୨୪।୧୨: ଚାଇନାରେ ଚଳିତ ସପ୍ତାହର ଗୋଟିଏ ଦିନରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ସର୍ବାଧିକ ସଂକ୍ରମଣ। ଡିସେମ୍ବର ମାସର ପ୍ରଥମ ୨୦ ଦିନରେ ଚାଇନା ଜନସଂଖ୍ୟାରେ ପ୍ରାୟ ୧୮ ପ୍ରତିଶତ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇସାରିଲେଣି। ଗତ ଜାନୁୟାରୀରେ ସର୍ବାଧିକ ଦୈନିକ ସଂକ୍ରମଣ ୪୦ ଲକ୍ଷ ଥିଲା ବୋଲି ଚାଇନା ନ୍ୟାଶନାଲ ହେଲ୍‌ଥ କମିଶନ (ଏନ୍‌ଏଚ୍‌ସି)ର ଏକ ବୈଠକରୁ ଜଣାପଡ଼ିଛି। ଜିରୋ-କୋଭିଡ୍‌ କଟକଣା ହଟିବା ପରେ ଦ୍ରୁତ ସଂକ୍ରାମକ ଓମିକ୍ରନ ଭାରିଆଣ୍ଟ ଯୋଗୁ ଦୈନିକ ସଂକ୍ରମଣ ସର୍ବାଧିକ ବୃଦ୍ଧି ପାଇଛି। ସିଚୁଆନ ପ୍ରଦେଶ ଏବଂ ରାଜଧାନୀ ବେଜିଂର ଅଧା ଲୋକ କୋଭିଡ୍‌ ସଂକ୍ରମିତ ହୋଇସାରିଲେଣି। ତେବେ ସଂକ୍ରମଣ ସଂଖ୍ୟା ଆକଳନ ପ୍ରକ୍ରିୟା ଅସ୍ପଷ୍ଟ ରହିଥିବା କୁହାଯାଉଛି। ପ୍ରକୃତରେ କୋଭିଡ୍‌ରେ କେତେଜଣଙ୍କର ମୃତ୍ୟୁ ଘଟିଲାଣି, ତାହା ଆକଳନ କରାଯାଇ ନାହିଁ। ଆଗକୁ ଚାଇନାରେ ସଂକ୍ରମଣ ଅଧିକ ଜୋର୍‌ଦାର ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତ ରହିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଦୈନିକ ସଂକ୍ରମଣ ୩,୦୪୯ ବୋଲି ସରକାରୀ ଭାବେ କୁହାଯାଉଛି।

Share