ଉପହାର ଲୋଭରେ ହରାଇଲେ ୩.୯୫ ଲକ୍ଷ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ଜଣେ ଯୁବକ ବିବାହ କରିବାକୁ ଯାଇ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେବା ପରେ ବଡ଼ଧରଣର ସାଇବର ଠକେଇର ଶିକାର ହୋଇଛନ୍ତି। ସେଥିରେ ଜଣେ ଯୁବତୀ ତାଙ୍କୁ ଚୂନ ଲଗାଇ ୩ ଲକ୍ଷ ୯୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା କଟକ ଜିଲା ନେମାଳୋ ଥାନା ଗୋପୀନାଥପୁର ଗ୍ରାମର ସର୍ବପ୍ରସନ୍ନ ପଣ୍ଡା (୪୨) ଏ ନେଇ ଶୁକ୍ରବାର ସାଇବର ସେଲରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ସେ ବିବାହ କରିବାକୁ ଓଡ଼ିଆ ମାଟ୍ରିମୋନିରେ ବିଜ୍ଞାପନ ଦେଇଥିଲେ। ସେଥିରେ ଜଣେ ଯୁବତୀ ତାଙ୍କ ନମ୍ବରକୁ ଫୋନ କରିଥିଲେ। ଉକ୍ତ ଯୁବତୀ ନିଜକୁ ୟୁକେରେ ଡାକ୍ତର ଅଛନ୍ତି ବୋଲି କହିବା ପରେ ସର୍ବପ୍ରସନ୍ନ ତାଙ୍କ ସହ କଥା ହୋଇଥିଲେ। ଏପରିକି ଯୁବତୀ ବିଦେଶରୁ ଫେରି ତାଙ୍କୁ ବିବାହ କରିବେ ବୋଲି କହିଥିଲେ। ତେବେ ଯୁବତୀ ସର୍ବପ୍ରସନ୍ନଙ୍କ ବିଶ୍ୱାସ ଜିଣି ଲୁଟିବାକୁ ଚକ୍ରାନ୍ତ କରିଥିଲେ। ସେ ୟୁକେରୁ ତାଙ୍କ ପାଇଁ ଉପହାର ଆକାରରେ ସୁନା ଚେନ୍‌, ଘଡି ସହ କିଛି ଡଲାର କୋରିଅରରେ ପଠାଇବା ପାଇଁ ଠିକଣା ମାଗିଥିଲେ। ଏସବୁ ପାଇବା ଆଶାରେ ସର୍ବପ୍ରସନ୍ନ ନିଜ ଘରର ଠିକଣା ଦେଇଥିଲେ। ଠିକଣା ଦେବାର ୨ରୁ ୩ ତିନି ପରେ ତାଙ୍କୁ ଫୋନ କଲ ଆସିଥିଲା। ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ନାମରେ ଏକ ପାର୍ସଲ ଆସିଛି ବୋଲି ଜଣେ ଯୁବକ ଫୋନ କରି କହିଥିଲେ। ଠିକଣାରେ ପହଞ୍ଚିବା ପାଇଁ ପ୍ରଥମେ ୩୮ ହଜାର ପରେ ପଞ୍ଜୀକରଣ ପାଇଁ ୯୭ ହଜାର ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ। ଏପରିକି ସେଥିରେ ଥିବା ଡଲାର ୩୭ ଲକ୍ଷ ଟଙ୍କା ହେବ, ଏହି ଡଲାରକୁ ଭାରତୀୟ ମୁଦ୍ରାରେ ରୂପାନ୍ତର ହେବା ପାଇଁ ୨ ଲକ୍ଷ ୬୦ ହଜାର ଦେବାକୁ ପଡ଼ିବ ବୋଲି ଉକ୍ତ ଯୁବକ କହିଥିଲେ। ଏଥିରେ ସର୍ବପ୍ରସନ୍ନ ଲୋଭରେ ପଡ଼ି ଏକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ଦେଇଥିଲେ। ଏହିପରି ବିଭିନ୍ନ ଆଳରେ ସର୍ବମୋଟ ୩ ଲକ୍ଷ ୯୫ ହଜାର ଦେଇଥିଲେ। ତଥାପି ଉପହାର ପହଞ୍ଚିବା ପାଇଁ ଆଉ ୫ ଲକ୍ଷ ଟଙ୍କା ମାଗିବାରୁ ସେ ସନ୍ଦେହ କରିଥିଲେ। ପରେ ହଠାତ୍‌ ଫୋନ କଟିଯିବାରୁ ସେହି ନମ୍ବରରେ କଲ୍‌ କରିବା ସତ୍ତ୍ୱେ ନ ଲାଗିବାରୁ ଠକାମିର ଶିକାର ହୋଇଥିବା ସେ ଜାଣିପାରିଥିଲେ।

Share