Categories: ଜାତୀୟ

୩ ଲଶ୍କର ଆତଙ୍କବାଦୀଙ୍କ ସହଯୋଗୀ ଗିରଫ, ପାଖରୁ ମିଳିଲା ଚାଇନା ପିସ୍ତଲ…

ଶ୍ରୀନଗର, ୨୨।୬ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀ ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛନ୍ତି।

ଗିରଫ ହୋଇଥିବା ଆତଙ୍କବାଦୀ ସହଯୋଗୀଙ୍କ ନାମ ଆଶିକ ହୁସେନ, ହାଜାମ ଗୁଲାମ ମୋହି ଦିନ ଡାର୍‌ ଏବଂ ତାହିର ବିନ ଅହମ୍ମଦ ବୋଲି ଜଣାପଡିଛି। ପୋଲିସ ଏକ ସରକାରୀ ବିବୃତ୍ତିରେ କହିଛି ଯେ ବଡ଼ଗାମ ପୋଲିସ ୫୩୧ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ୧୮୧ ବାଟାଲିୟନର ମିଳିତ ଅପରେଶନ୍‌ରେ ଏହି ସଫଳତା ମିଳିଛି।

ଏହି ଅପରେଶନ ସମୟରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଚାଇନା ପିସ୍ତଲ, ଦୁଇଟି ପିସ୍ତଲ ମାଗାଜିନ, ୨୨ ଟି ପିସ୍ତଲ, ଗୋଟିଏ ଏକେ ମାଗାଜିନ ଏବଂ ୩୦ ଏକେ ରାଉଣ୍ଡ ଆଦି ରହିଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗିରଫ ଆତଙ୍କବାଦୀ ସହଯୋଗୀମାନେ ଆତଙ୍କବାଦୀ, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ପରିବହନରେ ଜଡିତ ଥିଲେ ଏବଂ ଜିଲାର ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଲଜିଷ୍ଟିକ ସହାୟତା ପ୍ରଦାନ କରୁଥିଲେ। ଚଦୁରା ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ ହୋଇଛି। ଅଧିକ ଅନୁସନ୍ଧାନ ଜାରି ରହିଛି।

Share