ହତ୍ୟା ପରେ ଦେଇଥିଲେ ଦୁର୍ଘଟଣା ରୂପ

ଜମନକିରା,୮ା୨(ଡି.ଏନ.ଏ.): ଯୁବକଙ୍କୁ ହତ୍ୟା ପରେ ଦୁର୍ଘଟଣାର ରୂପ ଦିଆଯାଇଥିବା ଅଭିଯୋଗରେ ଜମନକିରା ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଆଇଆଇସି ପ୍ରେମଜିତ ଦାସ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଧୁଡ଼ିପାଲି ପଞ୍ଚାୟର ପୂର୍ଣ୍ଣ ରୋହିଦାସ(୫୫), ସମ୍ବଲପୁର ଜିଲା କତରବଗା ଥାନା ଲଙ୍ଗାବାହାଲ ଗ୍ରାମର ଅଗସ୍ତୀ ରୋହିଦାସ (୩୧) ଓ ରବୀନ୍ଦ୍ର ସୁନାନୀ (୩୭)। ଏ ନେଇ ଜମନକିରା ଥାନାରେ ଏକ ମାମଲା (ନଂ.୨୭୯/୨୨) ରୁଜୁ କରାଯାଇଛି।

ପୋଲିସ ସୂଚନା ମୁତାବକ, ଗତ ଜାନୁୟାରୀ ୧୭ରେ ଫାଶିମାଲ ପଞ୍ଚାୟତ ପୁକୁଡ଼ା ଗଁାର ରାଜୀବ ନାୟକ କୁଚିଣ୍ଡାରୁ ଫେରୁଥିବା ବେଳେ ଗରିଆବାହାଲ ନାଳ ପାଖ ରାସ୍ତାରେ ଝାରସୁଗୁଡ଼ା ଜିଲା ବନହରପାଲି ଥାନା କର୍ପାବାହାଲ ଗଁାର ଜିତେନ୍ଦ୍ର ଗୌଟିଆ (୩୪) ଦୁର୍ଘଟଣାରେ ଗୁରୁତର ହୋଇପଡ଼ିଥିବା ଦେଖିଥିଲେ। ନିକଟରେ ଏକ ବାଇକ୍‌ (ସିଜି୧୪ଏମ୍‌ଏଫ୍‌-୫୦୯୬) ମଧ୍ୟ ପଡ଼ିଥିଲା। ରାଜୀବ ଏକ ଆମ୍ବୁଲାନ୍ସ ଡାକି ତାଙ୍କୁ କୁଚିଣ୍ଡା ଡାକ୍ତରଖାନା ପଠାଇଥିଲେ। ତେବେ ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜମନକିରା ଥାନା ପକ୍ଷରୁ ଏଏସ୍‌ଆଇ ତ୍ରିବେଣୀ ପଧାନ କୁଚିଣ୍ଡା ଯାଇ ତଦନ୍ତ ପରେ ଏହା ଏକ ହତ୍ୟା ଘଟଣା ବୋଲି ଜଣାପଡିଥିଲା।

ଜିତେନ୍ଦ୍ର କୁଆଡ଼େ ଏକ ପିତ୍ତଳ ହାତୀ ରଖିଥିଲେ ଓ ଏହା ଚାଲୁଥିଲା। ଜିତେନ୍ଦ୍ର ଏକଥା କହି ପୂର୍ଣ୍ଣଙ୍କ ସହିତ କୋଟିଏ ଟଙ୍କାରେ ମୂଲଚାଲ କରି ଅଗ୍ରିମ କିଛି ଟଙ୍କା ଦେଇଥିବା ପୂର୍ଣ୍ଣ ପ୍ରକାଶ କରିଛନ୍ତି। ହାତୀଟି ଚାଲୁ ନ ଥିବା ଜାଣିବା ପରେ ପୂର୍ଣ୍ଣ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ଦିନ ଗଡାଇ ଚାଲିବାରୁ ପୂର୍ଣ୍ଣ ଯୋଜନା କରି ଜିତେନ୍ଦ୍ରଙ୍କୁ ନିଜ ଗାଁ ଲିଙ୍ଗାପାଲିକୁ ଡାକିଥିଲେ। ଏହାପରେ ନିଜ ସମ୍ପର୍କିୟ ଅଗସ୍ତୀ ଓ ରବୀନ୍ଦ୍ରଙ୍କୁ ଡାକି ଜିତେନ୍ଦ୍ରଙ୍କ ହତ୍ୟା କରି ଫାଶିମାଲ ଗରିଆବାହାଲ ପୋଲ ନିକଟରେ ଦୁର୍ଘଟଣାର ରୂପ ଦେଇଥିବା ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବିକାର କରିଛନ୍ତି। ପୋଲିସ ତାଙ୍କଠାରୁ ଏକ ପ୍ଲାଷ୍ଟିକ ରଶି, ଏକ ପିତ୍ତଳର ହାତୀ, ମୋବାଇଲ ଫୋନ, ୨ଟି ବାଇକ୍‌ ଜବତ କରିଛି।

Share