ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସମେତ ୩ ଗିରଫ

ଆନନ୍ଦପୁର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ବାଲିଘାଟ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଘଷିପୁରା ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ଏବଂ ବଳରାମ ବେହେରା, ସିପୁନ ବେହେରା। ସମସ୍ତଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ଅବିନାଶ ପରିଡ଼ା ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, ବାଲିଚାଲାଣ ବିବାଦକୁ ନେଇ ଗତ ୨୨ ତାରିଖରେ ପ୍ରତିବାଦ ସମୟରେ ଶାଳଦେଇ ଗ୍ରାମର ନବଘନ ଜେନାଙ୍କ ସ୍ତ୍ରୀ ମଲ୍ଲି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁବରଣ କରିଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ କରି ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ। ପୋଲିସ ପ୍ରାଥମିକ ସ୍ତରରେ ୫ ଅଭିଯୁକ୍ତ ହରେକୃଷ୍ଣ ବୋଇତେଇ, ଅମରେଶ ରାଉତ, ସନ୍ତୋଷ ସାହୁ, ଭାଗୀରଥି ପଲେଇ, ଅଞ୍ଜନ ରାଉତଙ୍କୁ ଗିରଫ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି ହୋଇଆସୁଥିଲା। ପୋଲିସ ତଦନ୍ତ ଚଳାଇଥିବା ବେଳେ ଗୁରୁବାର ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଥାନା ଅଧିକାରୀ କହିଛନ୍ତି।

Share