୩ ବାଇକ୍‌ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଥାନା ଅନ୍ତର୍ଗତ ଖାରିନାଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଜୁଡ଼ାବାଲିରୁ କୋଟଗଡ଼ ଆଡ଼କୁ ମନ୍ଦିର ଯିବା ରାସ୍ତାରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପଡ଼ିରହିଛି ନଡ଼ିଆ, ପୂଜା ସାମଗ୍ରୀ ଓ ଲୁଗାପଟା। ଏହି ଦୁର୍ଘଟଣା ଏତେ ବଡ଼ ଥିଲା ଯେ, ବାଇକ୍‌ରେ ଯାଉଥିବ ଜୁଡ଼ାବାଲି ଗ୍ରାମର ଚାଳକ ସୁଧୀର ମଳିକଙ୍କ ସମେତ ନୀଳିମା ମାଝି ଓ ଦେବଭୂତି ସାର୍କା ବାଇକ୍‌ ସହ ଟ୍ରକ ତଳେ ଚାପି ହୋଇ ପ୍ରାୟ ୧୫ରୁ ୨୦ମିଟର ଘୋଷାଡ଼ି ହୋଇଯାଇଥିଲେ। ହେଲେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ଟ୍ରକ୍‌ଟିକୁ ଅଟକାଇବା ସହ ଟ୍ରକ୍‌ ଚାଳକଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟିକୁ ରଖିବା ସହ ପଛକୁ ନେବା ପରେ ସ୍ଥାନୀୟ ଲୋକ ମିଶି ଉକ୍ତ ତିନିଜଣଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ି ସାହାଯ୍ୟରେ କୋଟଗଡ଼ ସରକାରୀ ଡାକ୍ତରଖାନା ନେଇଥିଲେ। ଚାଳକ ସୁଧୀର ସାମାନ୍ୟ ଆହତ ହୋଇଥିବା ବେଳେ ଦୁଇ ମହିଳା ନୀଳିମା ଓ ଦେବଭୂତିଙ୍କ ଗଭୀର କ୍ଷତ ସୃଷ୍ଟି ହେବା ସହ ଗୁରୁତର ଥିବାରୁ ସମସ୍ତଙ୍କୁ ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ କୋଟଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ଥିବା ପ୍ରକାଶ କରିଛନ୍ତି।