Categories: ଜାତୀୟ

୩ ଭାଜପା ଏମ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୯ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରସ୍ତୁତ ଜାଲ୍‌ ତଥା ବିକୃତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋର, ସୁବ୍ରତ ପାଠକ ଏବଂ ଭୋଳା ସିଂ ଅଡୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୧୧ଜଣ କଂଗ୍ରେସ ଏମ୍‌ପି ଶୁକ୍ରବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖିଛନ୍ତି। ୩ ଭାଜପା ଏମ୍‌ପି ଅନୁଚିତ କାର୍ଯ୍ୟ ଯୋଗୁ ଦେଶର ସାମାଜିକ ସଂହତି ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ବାଚସ୍ପତି ତୁରନ୍ତ ହସ୍ତକ୍ଷେପ କରିବା ସହ ସେମାନଙ୍କ ଅଭିଯୋଗକୁ ସଂସଦୀୟ ନୈତିକ କମିଟି ନିକଟକୁ ପଠାଇବାକୁ କଂଗ୍ରେସ ଏମ୍‌ପିମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଥାଉ କି, କେରଳର ଓ୍ବାୟନାଡ୍‌ରେ ଥିବା ରାହୁଲ ଗାନ୍ଧୀଙ୍କ ଅଫିସ ଉପରେ ଏସ୍‌ଏଫ୍‌ଆଇ କର୍ମୀମାନେ ଆକ୍ରମଣ କରିଥିଲେ। ତେବେ ରାଜସ୍ଥାନ ଉଦୟପୁରର କେହ୍ନୟାଲାଲ ତେଲି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ପ୍ରତି ରାହୁଲ ସହାନୁଭୂତି ଦେଖାଇଥିବାରୁ ତାଙ୍କ ଓ୍ବାୟନାଡ୍‌ ଅଫିସ୍‌ ଉପରେ ଆକ୍ରମଣ ହୋଇଥିବା ନେଇ ଏକ ବିକୃତ ଭିଡିଓ ପ୍ରସ୍ତୁତ ହୋଇଥିଲା। ତାହାକୁ ଏହି ଟିଭି ଚ୍ୟାନେଲରେ ଦେଖିବାକୁ ମିଳିଥିଲା। ପରେ ତାହାକୁ ଟିଭି ଚ୍ୟାନେଲ ପକ୍ଷରୁ ପ୍ରତ୍ୟାହାର କରିନିଆଯିବା ସହ କ୍ଷମାପ୍ରାର୍ଥନା କରାଯାଇଥିଲା। କିନ୍ତୁ ଉକ୍ତ ବିକୃତ ଭିଡିଓକୁ ଭାଜପାର ଉପରୋକ୍ତ ୩ ନେତା ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାହୁଲଙ୍କୁ ବଦନାମ କରିବା ଏବଂ ତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିବା ପାଇଁ ସୁଚିନ୍ତିତ ଭାବେ ଏହି ଜାଲ୍‌ ଭିଡିଓ ପ୍ରସ୍ତୁତ ହୋଇଥିବା କଂଗ୍ରେସ ଏମ୍‌ପିମାନେ ଅଭିଯୋଗ କରିଛନ୍ତି। ଚିଠିରେ ଦସ୍ତଖତ କରିଥିବା କଂଗ୍ରେସ ଏମ୍‌ପିମାନେ ହେଲେ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, କେ. ସୁରେଶ, ମାନିକାମ ଟାଗୋର, ରବନିତ୍‌ ସିଂ, ଏମ୍‌. କେ. ରାଘବନ, ଡି. କେ. ସୁରେଶ, ସନ୍ତୋଷ ସିଂ ଚୌଧାରୀ, କେ. ଜୟକୁମାର, ଆଣ୍ଟୋ ଆଣ୍ଟୋନି ଏବଂ ଏସ୍‌. ଜୋଥି ମଣି।

Share