ଜୟନାରାୟଣ, ବିଷ୍ଣୁ, ମୋହନ ସସ୍‌ପେଣ୍ଡ

ଭୁବନେଶ୍ୱର,୩।୪(ବ୍ୟୁରୋ): ଭାଜପାର ୩ ବିଧାୟକ ସସ୍‌ପେଣ୍ଡ। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନସ୍ବରୂପ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ଚଳିତ ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଛି। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଭାଜପା ପକ୍ଷରୁ ପ୍ରତିବାଦ କରାଯାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉ କି, ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲ୍‌କୁ ପାରିତ କରାଯାଇଥିଲା। ହେଲେ ବିନା ଆଲୋଚନାରେ ବିଲ୍‌ ପାସ୍‌ କରିଥିବାରୁ ବିରୋଧୀ ଏହାକୁ ନେଇ ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନ ଥିବା ସେମାନେ ଅଭିଯୋଗ କରିଥିଲେ। ପରିସ୍ଥିତି ଏଭଳି ଆସିଥିଲା ଯେ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ସହ ଇଅରଫୋନ୍‌, କାଗଜ, ଚପଲ ଆଦି ଫିଙ୍ଗିଥିଲେ। ବିରୋଧୀଙ୍କ ଏଭଳି ହଙ୍ଗାମା ଯୋଗୁ ଗୃହକୁ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ଏନେଇ ବିଷ୍ଣୁ ପ୍ରତିକ୍ରିୟା ରଖି କହିଥିଲେ, ବିନା ଆଲୋଚନାରେ ବିଲ୍‌ ପାରିତ ହେଉଛି। କେହି ଜଣେ ନୂଆ ବିଧାୟକ ଫିଙ୍ଗିଛନ୍ତି। ମୁଁ ଚପଲ ଫିଙ୍ଗିନାହିଁ। ସାମ୍ବିଧାନିକ ବିଧି ବ୍ୟବସ୍ଥାର ପାଳନ ବାଚସ୍ପତି କରୁନାହାନ୍ତି ବୋଲି ସେ କହିଥିଲେ। ସେହିଭଳି ଜୟନାରାୟଣ କିଛି ପଶ୍ଚାତାପ କରିବାର ନାହିଁ ବୋଲି କହିଥିଲେ। ତେବେ  ବିଧାନସଭା ଇତିହାସରେ କେବେ ହେଲେ ଏଭଳି ଅଭାବନୀୟ ଘଟଣା ଘଟି ନ ଥିବା କୁହାଯାଉଛି। ଏଥିସହ ବାଚସ୍ପତି ପୁରା ଘଟଣାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Share