ଆତଙ୍କ ଚଲାଉଥିଲେ ଭାଇ ଗ୍ୟାଙ୍ଗ: ଧରାପଡ଼ିଲେ ତିନି

ପୁରୁଷୋତ୍ତମପୁର,୧୬।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦୀର୍ଘଦିନ ହେଲା ଆତଙ୍କ ଚଲାଉଥିବା ଭାଇ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଏହାକୁ ନେଇ ଲୋକେ ଏକ ପ୍ରକାର ଆଶ୍ୱସ୍ତି ହୋଇଛନ୍ତି।

ଗୁରୁବାର ରାତିରେ ଅମୁଣିଆ ସାହିରେ ବୃନ୍ଦାବନ ଗୌଡ଼ଙ୍କ ପରିବାର ଲୋକଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିଲା। ଏନେଇ ପରିବାର ଲୋକେ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୭୪୮/୨୩) ରୁଜୁ କରିଥିଲା। ଥାନା ଆଇଆଇସି ସମୀର କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ସ୍ବଦେଶ କୁମାର ଦାଶଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଷୋତ୍ତମପୁର ଅମୁଣିଆ ସାହିର ତିନି ଭାଇ ବିଚିତ୍ର ଗୌଡ଼, କାହ୍ନୁ ଗୌଡ଼ ଏବଂ ଚକା ଗୌଡ। ବିଚିତ୍ରଙ୍କୁ ଶୁକ୍ରବାର ଗିରଫ କରାଯାଇଥିବା ବେଳେ କାହ୍ନୁ ଏବଂ ଚକାଙ୍କୁ ସୋମବାର ଗିରଫ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏହି ଗ୍ୟାଙ୍ଗ ଦୀର୍ଘଦିନ ହେଲା ଚୋରା ମଦ କାରବାର ଚଲାଇ ଆସୁଥିଲେ। ଏପରିକି ସେମାନେ ମାଉଜର ଧରି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକଙ୍କୁ ଧମକାଉ ଥିଲେ। ବିଚିତ୍ରଙ୍କ ନାମରେ ପୁରୁଷୋତ୍ତପୁର ଥାନାରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ବେଳେ କାହ୍ନୁଙ୍କ ନାମରେ ବିଭିନ୍ନ ଆପରାଧିକ ମାମଲା ରହିଥିବା ପୋଲିସ କହିଛି।

Share