୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଓଡ଼ିିଶା ପୋଲିସ ନିକଟରେ ସୋମବାର ଛତିଶଗଡ଼ କ୍ୟାଡର ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋଡଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିର ଲକ୍ମା ମାଡ୍‌ଭି ଓରଫ ଲଖନ, ଗଙ୍ଗା ମାଡକାମୀ ଓରଫ ସେଣ୍ଡରା ଓ ଶୁକା ସୁଡି ଓରଫ ନବୀନ। ଏମାନେ ଓଡ଼ିଶାର ଉତ୍ତର କନ୍ଧମାଳ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିଲେ। ଏନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ଭୁବନେଶ୍ୱରସ୍ଥିତ ନିଜ କ୍ୟାମ୍ପ ଅଫିସରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି, ଆତ୍ମସମର୍ପଣ କରିଥିବା ୩ ମାଓବାଦୀ କନ୍ଧମାଳ ସୀମାନ୍ତରେ ମହାନଦୀ ଏରିଆ କମିଟି ଦାୟିତ୍ୱରେ ଥିବାବେଳେ ଅନେକ ମାଓବାଦୀ ହିଂସାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନେ ଦୀର୍ଘ ୧୨ବର୍ଷ ଧରି ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିଲେ। ସେମାନଙ୍କ ମଧ୍ୟରେ ୨ଜଣ କମାଣ୍ଡର ରହିଥିଲେ। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କ ନାମରେ ଓଡ଼ିଶା ପୋଲିସ ପକ୍ଷରୁ ୪ଲକ୍ଷ ଟଙ୍କା ଲେଖାଏ ଏବଂ ଅନ୍ୟ ଜଣକ ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ପକ୍ଷରୁ ଥଇଥାନ ଯୋଜନାରେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ। ସମ୍ପୃକ୍ତ ୩ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଅନ୍ୟମାନଙ୍କୁ ମଧ୍ୟ ଆତ୍ମସମର୍ପଣ ଲାଗି ପୋଲିସ ଡିଜି ଅଭୟ ଆହ୍ବାନ ଦେଇଛନ୍ତି। ସମସ୍ତ ମାଓବାଦୀ ଆତ୍ମସମର୍ପଣ କରି ଶାନ୍ତିପୂର୍ଣ୍ଣ ଓ ନୂଆ ଜୀବନ ଗଢ଼ନ୍ତୁ ବୋଲି ପୋଲିସ ଡିଜି କହିଛନ୍ତି।
୨୦୨୦ରେ ୩୪ ମାଓବାଦୀ ଗିରଫ ହୋଇଥିବାବେଳେ ୨୧ ଆତ୍ମସମର୍ପଣ କରିଥିଲେ ଓ ୧୮ ପୋଲିସ ଗୁଳିରେ ନିହତ ହୋଇଥିଲେ। ସେହିପରି ୨୦୨୧ରେ ଏପର୍ଯ୍ୟନ୍ତ ୨୫ ଗିରଫ ହୋଇଥିବାବେଳେ ୧୫ ଆତ୍ମସମର୍ପଣ କରିଛନ୍ତି ଓ ୩ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Share